ମହାରାଷ୍ଟ୍ର (ଏଟିଆର ବ୍ୟୁରୋ): ଶରିଡିରେ ଏବେ ସାଇବାବାଙ୍କ ଜନ୍ମ ସ୍ଥାନକୁ ନେଇ ବିବାଦ ଦେଖିବାକୁ ମିଳିଛି । ଏହି ଅବସରରେ ଆଜି ସଚିବାଳୟରେ ସାଇବାବାଙ୍କ ଜନ୍ମସ୍ଥାନ ବିବାଦକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏଥିରେ ଶିରିଡି ଟ୍ରଷ୍ଟର ସଦସ୍ୟ ମାନଙ୍କ ସହିତ ଉଦ୍ଧବ ଠାକରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ତାଙ୍କ ବୟାନ ପ୍ରତ୍ୟାହାର କରିବା ପାଇଁ ଦାବି ହେଉଛି ।
ସୂଚନାଯୋଗ୍ୟ ମହାରାଷ୍ଟ୍ର ସରକାର ପରଭଣୀ ଜିଲ୍ଲାର ପାଥରୀ ଗାଁକୁ ସାଇବାବାଙ୍କ ଜନ୍ମ ସ୍ଥାନ ଭାବେ ଘୋଷଣା କରିବା ପରେ ଏହି ବିବାଦ ମୁଣ୍ଡ ଟେକିଥିଲା । ଏହି ଗାଁର ବିକାଶ ପାଇଁ ମହାରାଷ୍ଟ୍ର ସରକାର ୧୦୦ କୋଟି ଟଙ୍କା ଘୋଷଣା କରିବା ପରେ ଏବେ ସାଇବାବା ମନ୍ଦିରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏମିତିକି ସରକାରଙ୍କ ଏହି ଘୋଷଣାକୁ ଜୋରଦାର ବିରୋଧ କରିଛନ୍ତି ଶିରିଡି ଗ୍ରାମବାସୀ ।ସେମାନଙ୍କ କହିବାନୁଯାୟୀ ସାଇବାବାଙ୍କ ଧର୍ମ ଏବଂ ତାଙ୍କ ଜନ୍ମସ୍ଥାନକୁ ନେଇ କୌଣସି ସଠିକ୍ ପ୍ରମାଣ ନାହିଁ । ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉପୁଜିଥିବା ବିବାଦ ଏହା ପ୍ରଥମ ଥର ହୋଇନାହିଁ । ଏହାପୂର୍ବରୁ ବି ଏନେଇ ବିବାଦ ଉପୁଜିଛି ।