ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତର ବଡ ଟେଲିକମ କମ୍ପାନୀ ଏୟାରଟେଲରେ ପ୍ରତ୍ୟେକ୍ଷ ବିଦେଶୀ ନିବେଶ(ଏଫଡିଆଇ) ୪୯ ପ୍ରତିଶତରୁ ବଢାଇ ୧୦୦ ପ୍ରତିଶତ କରିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି ।
ଗତକାଲି ଭାରତୀ ଏୟାରଟେଲ କମ୍ପାନୀ ସେୟାର ମାର୍କେଟକୁ ଏହି ସୁଚନା ଦେଇଛି । ସେୟାର ମାର୍କେଟକୁ ଦିଆଯାଇଥିବା ସୁଚନା ଅନୁସାରେ, “ଭାରତୀ ଏୟାରଟେଲ ଲିମିଟେଡ”କୁ ଟେଲିକମ ଡିପାର୍ଟମେଣ୍ଟରୁ ଜାନୁଆରୀ ୨୦,୨୦୨୦ରେ ବିଦେଶୀ ନିବେଶର ସୀମା ବଢାଇ କମ୍ପାନୀରେ ବିଦେଶୀ ନିବେଶ ପୁଞ୍ଜି ୧୦୦ ପ୍ରତିଶତକ ପର୍ଯ୍ୟନ୍ତ କରିବାକୁ ମଞ୍ଜୁରି ମିଳିଛି ।
ଭାରତୀ ଏୟାରଟେଲ ସିଙ୍ଗାପୁରର ସିଙ୍ଗଟେଲ ଏବଂ ଅନ୍ୟ ବିଦେଶୀ କମ୍ପାନୀ ଠାରୁ ୪,୯୦୦ କୋଟି ଟଙ୍କା ନିବେଶ ପାଇଁ ଗତ ମାସରେ ସରକାରଙ୍କ ଠାରୁ ଅନୁମତି ମାଗିଥିଲା । ବର୍ତ୍ତମାନ ଏୟାରଟେଲ କମ୍ପାନୀକୁ ୧୦୦ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ମିଳିଯିବା ପରେ ଭାରତର ସବୁଠାରୁ ପୁରୁଣା ଟେଲିକମ କମ୍ପାନୀ ଏୟାରଟେଲ ବିଦେଶୀ ହେବାକୁ ଯାଉଛି ।
ଏବେ ସୁନୀଲ ଭାରତୀ ମିତ୍ତଲ ଏବଂ ତାଙ୍କ ପରିବାର ପାଖରେ ଭାରତୀ ଟେଲିକମ ର ପ୍ରାୟ ୫୨ ପ୍ରତିଶତ ଅଂଶଧନ ରହିଛି । ଏବଂ ଭାରତୀ ଟେଲିକମର ଭାରତୀ ଏୟାରଟେଲ ରେ ୪୧ ପ୍ରତିଶତ ଅଂଶଧନ ରହିଛି । ୧୦୦ ପ୍ରତିଶତ ଏଫଡିଆଇ କୁ ମଞ୍ଜୁରି ପରେ ଭାରତୀ ଟେଲିକମରେ ବିଦେଶୀ ଅଂଶଧନ ବୃଦ୍ଧିପାଇ ୫୦ ପ୍ରତିଶତରୁ ଅଧିକ ହୋଇଯିବ ଯାହା ଫଳରେ ଏହା ଏକ ବିଦେଶୀ କମ୍ପାନୀ ହୋଇଯିବ ।