ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସଧାରଣତନ୍ତ୍ର ଦିବସ ଅବସରରେ ୨୦୨୦ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ମୋଟ ୧୪୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ସେଥିମଧ୍ୟରୁ ସାତ ଜଣଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପ୍ରଦାନ କରାଯିବ । ଅନ୍ୟପଟେ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ । ସେଥିମଧ୍ୟରୁ ଓଡିଶାରୁ ୮ ଜଣଙ୍କୁ ମନୋନୀତ କରାଯାଇଛି । ଏହା ସହ ଓଡିଶା ବାହାରେ ରହୁଥିବା ଦୁଇ ଓଡିଆଙ୍କୁ ଏହି ସମ୍ମାନ ଲାଗି ମନୋନିତ କରାଯାଇଛି ।
ସେହିପରି ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ୱର୍ଗତ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଦିଆଯିବ । ଅନ୍ୟପଟେ କଳା କ୍ଷେତ୍ରରୁ ଉତ୍ସବ ଚରଣ ଦାସ, ସାନ୍ତାଳୀ ଲେଖିକା ଦମୟନ୍ତୀ ବେଶ୍ରା, ‘ରଂଗବତୀ’ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ, ବିଶିଷ୍ଠ ଗାଳ୍ପିକା ବୀଣାପାଣି ମହାନ୍ତି, ପଶୁପାଳନ କ୍ଷେତ୍ରରୁ ବଟକୃଷ୍ଣ ସାହୁ, ନୟାଗଡରେ ବାସ କରୁଥିବା ବିଶିଷ୍ଟ ସମାଜସେବୀ ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବ । ସେହିଭଳି ପ୍ରବାସୀ ଭାରତୀୟ ସାହିତ୍ୟ ଲାଗି ପ୍ରଶାନ୍ତ ପଟ୍ଟନାୟକ ଏବଂ ଚିକିତ୍ସା ବିଜ୍ଞାନ ପାଇଁ ଦିଗମ୍ୱର ବେହେରା ଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ।