ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଦେଶର ମର୍ଯ୍ୟାଦା ଜନକ ପଦ୍ମ ପୁରସ୍କାର । ଆଉ ସବୁଠାରୁ ବଡକଥା ହେଲା ଏଥର ଓଡିଶାରୁ ୧୦ ଜଣ କୃତିତ୍ୱଙ୍କୁ ଏକକାଳୀନ ଏହି ମର୍ଯ୍ୟାଦା ଜନକ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା ହୋଇଛି । ଓଡିଆ ଝିଅ ଶାନ୍ତାଳୀ ଭାଷାରେ ଲେଖିକା ଦମୟନ୍ତୀ ବେଶ୍ରାଙ୍କୁ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତା କରିବାକୁ ଘୋଷଣା ହୋଇଛି । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରାଙ୍କ ବିଷୟରେ କିଛି ଜଣା ଅଜଣା କଥା ।
ଓଡିଶାର ଆଦିମ ଅଧିବାସୀଙ୍କ ମଧ୍ୟରୁ ଶାନ୍ତାଳ ସଂପ୍ରଦାୟ ଅନ୍ୟତମ । ଶାନ୍ତାଳି ଭାଷାରେ ରହିଛି ସ୍ୱତନ୍ତ୍ର ଲିପି । ତେବେ ସେଇ ଶାନ୍ତାଳି ଭାଷାରେ ଡ. ଦମୟନ୍ତୀ ବେଶ୍ରା ଜଣେ ଉଚ୍ଚ କୋଟୀର ଲେଖିକା । ଯାହାଙ୍କ ଲେଖା ସାହିତ୍ୟ ଆଜି ଶାନ୍ତାଳି ଭାଷାକୁ ଦେଇଛି ନୂଆ ପରିଚୟ । ମୟୁରଭଞ୍ଜର ଝିଅ ହେଉଛନ୍ତି ଦମୟନ୍ତୀ । ପିଲାଟି ଦିନରୁ ହିଁ ତାଙ୍କର ଲେଖା ଲେଖି ପ୍ରତି ରହିଥିଲା ଦୂର୍ବଳତା । ସେ ରାଇରଙ୍ଗପୁର କନ୍ୟାଶ୍ରମରେ ପାଠ ପଢୁଥିବା ବେଳେ ସାହିତ୍ୟ ପ୍ରତି ତାଙ୍କର ଆଗ୍ରହ ଆସିଥିଲା । ଏବଂ ସେ ଏଥିପାଇଁ ଲେଖାଲେଖି ଆରମ୍ଭ କରିଥିଲେ । ପରେ ରମାଦେବୀ ମହିଳା ମହା ବିଦ୍ୟାଳୟ ଏବେକାର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ଶେଷ କରିଥିଲେ । ତାଙ୍କର ଶହେଟି ନିଶ୍ୱାସ ଲେଖା ପାଇଁ ତାଙ୍କୁ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ସେ ଏବେ ମୟୁରଭଞ୍ଜ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହା ବିଦ୍ୟାଳୟରେ ସେ ଏବେ ଓଡିଆ ଭାଷା ସାହିତ୍ୟ ବିଭାଗରେ ପ୍ରଧ୍ୟାପିକା ଭାବେ କାର୍ଯ୍ୟରତ । ସେ ଶାନ୍ତାଳି ଭାଷାରେ ବହୁ ଉଚ୍ଚ କୋଟିର କବିତାମାନ ରଚନା କରିଛନ୍ତି ।