ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଲୋକସଭାରେ ନିର୍ମଳା ସୀତାରମଣ ୨୦୨୦-୨୦୨୧ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଆସନ୍ତୁ ଜାଣିବା କଣ ରହିଛି ଏଥର ସାଧାରଣ ବଜେଟରେ ଶିକ୍ଷା ଓ କୃଷି କ୍ଷେତ୍ର ପାଇଁ ବଜେଟ ।
-ଶିକ୍ଷା ପାଇଁ ୯୯, ୩୦୦ କୋଟି ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାସହ ସେ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ଏଫଡିଆଇକୁ ସୁଯୋଗ ମିଳିବ । ଏଥିସହ ବିଜ୍ଞାନ ଓ ଟେକ୍ନୋଲୋଜିର ବିକାଶ ହେବ । ପୌରପାଳିକାରେ ଇଞ୍ଜିନିୟରଙ୍କୁ ୧ ବର୍ଷ ଇଣ୍ଟନସିପର ସୁବିଧା ମିଳିବ ।ଏଣିକି ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନରେ ଡିଗ୍ରୀ ପାଠ୍ୟକ୍ରମରେ ସୁବିଧା ମିଳିବ । ଦେଶର ବିଭିନ୍ନ ଜାଗାରେ ଜାତୀୟ ପୋଲିସ ବିଶ୍ୱବିଦ୍ୟାଳୟ ଏବଂ ଫୋରେନ୍ସିକ୍ ବିଶ୍ୱବିଦ୍ୟାଳୟ ଖୋଲାଯିବ । ଜିଲ୍ଲା ହସ୍ପିଟାରେ ମେଡିକାଲ ଖୋଲାଯିବ । ସେହିପରି ୩୦୦୦ କୋଟି ଦକ୍ଷତା ବିକାଶ ପାଇଁ ବ୍ୟୟବରାଦ ହୋଇଛି ।
-ଚାଷୀଙ୍କ ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱଗୁଣିତ କରିବା ପାଇଁ ଏହି ବଜେଟ ପ୍ରସ୍ତୁତ କରାଯାଇଛି । କୃଷିର ଉନ୍ନତି ପାଇଁ କେନ୍ଦ୍ର ସରକାର ୧୬ ସୂତ୍ରୀ ବିଶିଷ୍ଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଜଳାଭାବ ଥିବା ୧୦୦ ଟି ଜିଲ୍ଲାରେ କୃଷିର ଉନ୍ନତି ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ୨୦ ଲକ୍ଷ ଚାଷୀଙ୍କୁ ସବସିଡି ସୋଲାର ପମ୍ପ ଦିଆଯିବା ପାଇଁ ଥିବା ବେଳେ ୫୦ ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ଚାଳିତ ପମ୍ପ ଯୋଗାଇ ଦିଆଯିବ । ଚାଷୀ ମାନେ ଜମିରେ ଯେତିକି ମାତ୍ରାରେ ଜଳ ଓ ସାର ଅବଶ୍ୟକ ସେତିକି ମାତ୍ରାରେ ପ୍ରୟୋଗ କରିବେ ସେ ଉପରେ ଗୁରୁତ୍ୱ ଦିଆଯିବ । ଗ୍ରାମର ମହିଳା ମାନଙ୍କ ପାଇଁ ଆରମ୍ଭ ହେବ ଧନଲକ୍ଷ୍ମୀ ଯୋଜନା । ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଷାନ ରେଳ ପ୍ରଚଳନ ହେବ । କୃଷି ଜାତୀୟ ଦ୍ରବ୍ୟର ପରିବହନ ପାଇଁ ଆରମ୍ଭ ହେବ କୃଷି ଉଡାନ ଯୋଜନା । ଉଦ୍ୟାନ କୃଷି ପାଇଁ ଏକ ଜିଲ୍ଲା, ଏକ ଉତ୍ପାଦନ ବ୍ୟବସ୍ଥା ଲାଗୁ ହେବ । ୨୦୨୦-୨୦୨୧ରେ ୧୫ ଲକ୍ଷ କୋଟି କୃଷି ଋଣ ବଣ୍ଟନ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖାଯାଇଛି । ଆସ୍ପାଇରାସନାଲ ଇଣ୍ଡିଆରେ କୃଷି, ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନକୁ ଗୁରୁତ୍ୱର ଦିଆଯିବ ।