ଚିତ୍ରକୋଣ୍ଡା(ଏଟିଆର ବ୍ୟୁରୋ): ପୁଣି ବିଚ୍ଛିନ୍ନାଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଚିତ୍ରକୋଣ୍ଡା ଯୋଡାମ୍ବୋ ପଞ୍ଚାୟତ ଠାରୁ ୨ କିମି ବ୍ୟବଧାନରେ ଲଗାଯାଇଛି ମାଓ ପୋଷ୍ଟର । ଏହି ପୋଷ୍ଟରେ ଗ୍ରାମବାସୀ ମାନଙ୍କୁ ଯୋଗାଯୋଗ ନକରିବାକୁ ଚେତାବନୀ ଦିଆଯାଇଛି । ଏହା ସହ ଯୋଡାମ୍ବା ଗ୍ରାମର ୪ ଜଣଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି । ପୋଲିସ କେତେ ଦିନ ପର୍ଯ୍ୟନ୍ତ ସୁରକ୍ଷା ଦେବ ବୋଲି ମଧ୍ୟ ଲେଖାଯାଇଛି । ସୂଚନା ଯୋଗ୍ୟ ଗତ କିଛିଦିନ ହେବ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ଗତ ୨୫ ତାରିଖ ଦିନ ଜନ୍ତୁରାଇ ଗ୍ରାମର ବାସିନ୍ଦାମାନେ ଦୁଇ ଜଣ ନକ୍ସଲକୁ ଗାଁରେ ଧରି ମାଡ ମାରିଥିଲେ ।
ଘଟଣାସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିଲେ । ଏହାପରେ ନକ୍ସଲମାନେ ରାଗି ଯାଇ ଯୋଡାମ୍ବୋ ଠାରେ ୧୫ ଘରେ ନିଆଁ ଲଗାଇ ଦେଇଥିଲେ । ଏହା ସହ ୮ଟି ମୋଟର ସାଇକେଲକୁ ଜାଳି ଦେଇଥିଲେ । ସେବେଠାରୁ ଯୋଡାମ୍ବୋ ପଞ୍ଚାୟତକୁ ଦିନ ରାତି ଏସଓଜି ବାହିନୀ ଜଗିରହିଛନ୍ତି । ଅନ୍ୟପଟେ ଗତକାଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ବିଚ୍ଛିନ୍ନାଅଞ୍ଚଳରେ ପରିର୍ଦଶନ କରି ବିଏସଏଫ କ୍ୟାମ୍ପ ଓ ଥାନା ବୁଲି ଦେଖିଥିଲେ ଏବଂ କିପରି ମାଓ ଦମନ କରାଯିବ ଓ ସମଗ୍ର ବିଚ୍ଛିନ୍ନାଞ୍ଚଳକୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ବରିଷ୍ଠ ଅଧିକାରୀ ମାନଙ୍କ ସହ ଅଲୋଚନା କରିଥିଲେ ।