ପଞ୍ଜାବ(ଏଟିଆର ବ୍ୟୁରୋ):ଛୁଞ୍ଚି ରୁ ସୂତା ଏବେ ମାତ୍ର ଗୋଟିଏ କ୍ଲିକରେ ଘରେ ମିଳୁଛି । ଘରେ ବସି ଅନଲାଇନ ମାଧ୍ୟମରେ ଅତି ସହଜରେ ସବୁ କିଛି ମିଳି ପାରୁଛି । ମାତ୍ର ଘରେ ବସି ଅନଲାଇନରେ ମଦ ମିଳିବା କଥାଟା ଆପଣଙ୍କ ପାଇଁ ନୂଆ ହୋଇପାରେ । ଏଇ କଥା ପଢିଲା ପରେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ବାସ୍ତବରେ ଏହା କ’ଣ ସମ୍ଭବ । ତେବେ ବର୍ତ୍ତମାନ ଅନଲାଇନରେ ମଦ ବିକ୍ରି ହେବା ଆରମ୍ଭ ହୋଇଛି । ଏଣିକି ଘରେ ବସି ଲୋକ ମାନେ ଅନଲାଇରେ ମଦ କିଣି ପାରିବେ ଓ ଏହାକୁ ଘରେ ଆଣି ଯୋଗାଇ ଦେବ ଡେଲିଭରୀ ବୟେ ।
ମଦକୁ ହୋମ ଡେଲିଭରୀ କରିବା ପାଇଁ ଅଣ୍ଟା ଭିଡିଛନ୍ତି ପଞ୍ଜାବ ସରକାର । ପଞ୍ଜାବ ସରକାରଙ୍କ ପକ୍ଷରୁ ପରୀକ୍ଷା ମୂଳକ ଭାବେ ପ୍ରଥମେ ଚଣ୍ଡିଗଡରେ ଏହି ସେବା ଆରମ୍ଭ କରାଯାଇଛି । ଏହା ପରେ ରାଜ୍ୟର ସମସ୍ତ ଅଞ୍ଚଳରେ ମଦ ହୋମ ଡେଲିଭରୀ କରାଯିବ ବୋଲି ପଞ୍ଜାବ ସରକାର ଲକ୍ଷ୍ୟ ରଖିଛନ୍ତି । ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ଯାହା ଘରେ ଘରେ ମଦ ହୋମ ଡେଲିଭରୀ କରିଛି । ପଞ୍ଜାବ ସରକାର ଗତ ଶୁକ୍ରବାର ଦିନ ୨୦୨୦-୨୧ ବର୍ଷ ପାଇଁ ନୂଆ ଅବକାରୀ ଘୋଷଣା କରିଛନ୍ତି । ସରକାର ଏନେଇ ସମସ୍ତ ଲାଇସେନ୍ସ ପ୍ରାପ୍ତ ମଦ ବିକ୍ରେତାଙ୍କ ସହ ଖୁବଶୀଘ୍ର ଅଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ।
ଯଦି କୌଣସି ପ୍ରକାର ଆପତ୍ତି ଉଠିବ ତେବେ ଏହା ଉପରେ ରୋକ ଲଗାଯିବ । ସୁଚନା ଯୋଗ୍ୟ ମହାରାଷ୍ଟ ସରକାର ୨୦୧୮ ମସିହାରେ ଅନଲାଇନ ଜରିଆରେ ମଦ ଘରେ ଘରେ ପହଞ୍ଚାଇବେ ବୋଲି ପ୍ରଥମେ ପ୍ରସ୍ତାବ ଦେଇଥିଲେ । ମାତ୍ର ଅନେକ କ୍ଷେତ୍ରରେ ଏହାକୁ ବିରୋଧ କରାଯିବାରୁ ଏହା କାର୍ଯ୍ୟକାରୀ ହୋଇ ପାରିନଥିଲା ।