ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାକୁ ଛୁଇଁନାହିଁ କରୋନା ଓଡିଶା ଆସି ନାହାନ୍ତି କରୋନା । ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ କରୋନା ଭାଇରସ ଟେଷ୍ଟ କରିବା ପାଇଁ ପଠାଯାଇଥିବା ନମୁନା ନେଗେଟିଭ ରହିଥିବା ଜଣାପଡିଛି । ଏନେଇ ମେଡିକାଲ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦେଶକ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ସେହିଭଳି ଅନ୍ୟ ଯେଉଁ ୫ ଜଣଙ୍କ ନମୁନା ପୁଣେ ପଠାଯାଇଥିଲା ସେମାନଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ରହିଛି । ଓଡିଶାରୁ ୬ ଜଣଙ୍କ ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ସୂଚନାଯୋଗ୍ୟ ଜାନୁଆରୀ ୩୧ ରେ ଜଣେ ଡାକ୍ତରୀ ଛାତ୍ର ଓଡିଶା ଫେରିଥିଲେ । ତାଙ୍କର କାଶ ଥଣ୍ଡା କମୁନଥିବାରୁ ତାଙ୍କୁ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇଥିଲା ।
ପରେ ତାଙ୍କୁ ସ୍ୱତନ୍ତ୍ର ଭାବେ ହସ୍ପିଟାଲରେ ରଖି ଚିକିତ୍ସିତ କରାଯାଉଥିଲା । ଏବଂ ତାଙ୍କ ରକ୍ତ ଓ ଲାଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ତାଙ୍କୁ କଟକ ଏସିବିରେ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା । ଅନ୍ୟପଟେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ବିଭାଗ ପକ୍ଷରୁ ସ୍କୁଲ ଗୁଡିକୁ କୁହାଯାଇଛି ଯଦି ସ୍କୁଲରେ କୌଣସି ପିଲାର ମୁଣ୍ଡବିନ୍ଧା, ଥଣ୍ଡା ଓ କାଶ ଆଦି ହେଲେ ଏନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ସଂମ୍ପର୍କ କରିବାକୁ କୁହାଯାଇଛି । ପିଲାଙ୍କ ଚିକିତ୍ସା କରାଇବାକୁ କୁହାଯାଇଛି । ତେବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଧିକ ଭୟଭୀତ ହେବା ଉଚିତ ନୁହେଁ । ମାତ୍ର ଏନେଇ ସଚେତନ ରହିବା ଆବଶ୍ୟକ ।