କଟକ (ଏଟିଆର ବ୍ୟୁରୋ): ହାତରେ ଆଉ କିଛି ଟା ଦିନ ତାପରେ ଆରମ୍ଭ ହୋଇଯିବ ମାଟ୍ରିକ ପରୀକ୍ଷା । ପରୀକ୍ଷା ନିମନ୍ତେ ପରୀକ୍ଷାର୍ଥୀ ମଧ୍ୟରେ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବର୍ଷ ତମାନ କରିଥିବା ସମସ୍ତ ପରିଶ୍ରମକୁ ପରୀକ୍ଷା ମାଧ୍ୟମରେ ଦେଇ ଆଗକୁ ବଢିବାକୁ ଲକ୍ଷ୍ୟ ରଖି ପରିକ୍ଷାର୍ଥୀ ମାନେ ଲାଗି ପଢିଛନ୍ତି ପାଠ ପଢାରେ । ତେବେ କେବଳ ପରୀକ୍ଷାର୍ଥୀମାନେ ଯେ ନିଜର ସମସ୍ତ ପ୍ରସ୍ତୁତି କରିବାରେ ଲାଗି ପଡିଛନ୍ତି ତାହା ନୁହେଁ ପରୀକ୍ଷାକୁ ସୁପରିଚାଳନା କରିବା ସହ ତଦାରଖ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟୟରେ ପହଞ୍ଚିଲାଣି ।
ଆସନ୍ତା ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଗତକାଲି ଅପରାହ୍ନରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭବାନୀପାଟଣା, କୋରାପୁଟ, ନୂଆପଡା, ବାଲେଶ୍ୱର, ଅଞ୍ଚଳରେ ଥିବା ନୋଡାଲ ସେଣ୍ଟରକୁ ବୋର୍ଡ କାର୍ଯ୍ୟଳୟରୁ ସୁରକ୍ଷା ବଳୟ ମଧ୍ୟରେ ୪ଟି ଗାଡି ପ୍ରଶ୍ନପତ୍ର ପଠାଯାଇଛି । ପ୍ରଶ୍ନପତ୍ର ପହଞ୍ଚିବା ପରେ ସମସ୍ତ ନୋଡାଲ ସେଣ୍ଟର ଗୁଡିକରେ ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ରଖାଯିବାର ବ୍ୟବସ୍ଥା ହୋଇଛି । ପୂର୍ବବର୍ଷ ଗୁଡିକରେ ପରୀକ୍ଷାର ପୂର୍ବଦିନ ନୋଡାଲ ସେଣ୍ଟର ଗୁଡିକରୁ ପ୍ରଶ୍ନପ୍ରତ୍ର ପରୀକ୍ଷା କେନ୍ଦ୍ର ଗୁଡିକୁ ପଠାଯାଉଥିଲା । ତେବେ ଏବର୍ଷ ଠାରୁ ସମସ୍ତ ପ୍ରଶ୍ନପତ୍ର ପରୀକ୍ଷା ଦିନ କେନ୍ଦ୍ରକୁ ପଠାଯିବ ବୋଲି ବୋର୍ଡର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟୟରେ ମାଟ୍ରିକର ପ୍ରଥମ ତିନୋଟି ବିଷୟର ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି ପରେ ଅନ୍ୟ ବିଷୟର ପ୍ରଶ୍ନପତ୍ର ପଠାଯିବ । ତେବେ ଆସନ୍ତା ୭ଦିନ ମଧ୍ୟରେ ସମସ୍ତ ନୋଡାଲ ସେଣ୍ଟର ଗୁଡିକୁ ପରୀକ୍ଷା ପ୍ରଶ୍ନପତ୍ର ପହଞ୍ଚାଇବାକୁ ବୋର୍ଡ ଯୋଜନା କରିଛି ।
ଅନ୍ୟପଟେ ପରୀକ୍ଷାକୁ ସ୍ୱଚ୍ଛ ଓ ସୁପରିଚାଳନା କରିବା ପାଇଁ ସୁଦୃଢ ସ୍କ୍ୱାର୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥର ଫ୍ଲାଇଙ୍ଗ୍ ଓ ସ୍ବତନ୍ତ୍ର ସ୍କ୍ବାର୍ଡରେ କଲେଜ ଅଧ୍ୟାପକ, ରିଡରମାନଙ୍କୁ ସାମିଲ କରାଯିବ। ସେମାନେ ମାଟ୍ରିକ୍ ପରୀକ୍ଷାର ତଦାରଖ ଲାଗି ସ୍କ୍ବାର୍ଡରେ ସାମିଲ ହୋଇ ବିଭିନ୍ନ ବିଦ୍ୟାଳୟ ଗସ୍ତ କରିବେ। ତେବେ ସେମାନେ କପି ରୋକିବା, ସିସିଟିଭି ଯାଞ୍ଚ, ପରୀକ୍ଷା ପରିଚାଳନା ଆଦି ବିଷୟରେ ଯାଞ୍ଚ କରିବେ। ଏହି ସ୍ୱତନ୍ତ୍ର ଫ୍ଲାଇଙ୍ଗ ଓ ସ୍କ୍ୱାର୍ଡମାନଙ୍କୁ ବିଭିନ୍ନ ତାଲିମ ଦିଆଯିବ । ତେବେ ସ୍କ୍ୱାର୍ଡରେ ସାମିଲ ହୋଇଥିବା ସଦସ୍ୟମାନେ ଆସନ୍ତା ୧୮ ତାରିଖରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବତନ୍ତ୍ର ସ୍କ୍ବାଡ୍ରେ ସାମିଲ ହେବାକୁ ଥିବା ସଦସ୍ୟମାନେ ୧୭ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) କାର୍ୟ୍ୟାଳୟରେ ପହଞ୍ଚି ସେଠାରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ର ପର୍ୟ୍ୟବେକ୍ଷଣ ବୈଠକରେ ସାମିଲ ହେବାକୁ କୁହାଯାଇଛି।
ଏହି ସ୍ୱତନ୍ତ୍ର ଫ୍ଲାଇଙ୍ଗ ଓ ସ୍କ୍ୱାର୍ଡରେ ସାମିଲ ହେବାକୁ ଥିବା ଅଧ୍ୟାପକ ଓ ରିଡରଙ୍କ ତାଲିଖା ଇତି ମଧ୍ୟରେ ପ୍ରକାଶ ପାଇଛି । ଫ୍ଲାଇଙ୍ଗ୍ ସ୍କ୍ବାଡ୍ରେ ୬୯ ଜଣ ଅଧ୍ୟାପକ ଓ ରିଡର ସାମିଲ ହେବାକୁ ଥିବା ବେଳେ ସ୍ବତନ୍ତ୍ର ସ୍କ୍ବାଡ୍ରେ ୩୪ ଜଣଙ୍କୁ ସାମିଲ କରାଯାଇଛି। ପ୍ରତି ଜିଲ୍ଲାରୁ ୨ରୁ ୩ ଜଣ ଅଧ୍ୟାପକ ଓ ରିଡରଙ୍କୁ ଉଭୟ ସ୍କ୍ବାଡ୍ରେ ରଖାଯାଇଛି। ସେମାନେ କିଭଳି ନିର୍ଦ୍ଧାରିତ ସମୟରେ ସମସ୍ତ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ସାମିଲ ହେବେ ସେଦିଗରେ ପଦକ୍ଷେପ ନେବାକୁ ସମ୍ପୃକ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି।