ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ରାଜ୍ୟ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭା ଅଧିବେଶନରେ ପ୍ରାରମ୍ଭରେ ନିଜର ଅଭିଭାଷଣ ରଖି ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ଗୃହ ଆରମ୍ଭରୁ ହିଁ ବିରୋଧିଙ୍କ ହଟ୍ଟୋଗଳରେ ଗୃହ କମ୍ପି ଉଠିଥିଲା । ତାରା ବାହିନୀପତି ବିଧାନସଭାର ଅଫିସର ଗ୍ୟାଲେରିରେ ଜଣେ ବି ଅଫିସର ନଥିବାରୁ ଉଦବେଗ ପ୍ରକାଶ କରିବାକୁ ଲାଗିବାରୁ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ଗୃହର ସ୍ଥିତି ଅସମ୍ଭାଳ ହେବାରୁ ଆସନ୍ତାକାଲି ଯାଏଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ, ରାଜ୍ୟପାଳ ନିଜର ଅଭିଭାଷଣ ରଖିବା ପରେ ଶୋକ ପ୍ରସ୍ତାବ ନେଇ ଆଲୋଚନା ହେବା ବେଳେ ଗୃହର ଅଫିସର ଗ୍ୟାଲେରିରେ ଜଣେ ବି ଅଫିସର ନଥିବାରୁ କଂଗ୍ରେସ ଦଳର ବିଧାୟକ ତାରା ପ୍ରସାଦ ବାହିନିପତି ଉଦବେଗ ପ୍ରକାଶ କରିଥିଲେ । ତେବେ ବାଚସ୍ପତି ଉଦବେଗ ନେଇ ଏଗୁଡିକ ରେକର୍ଡ ହେବ ନାହିଁ ବୋଲି ରୁଲିଙ୍ଗ ଦେଇଥିଲେ । ଯାହାକୁ ନେଇ ଗୃହରେ ବେଶ ହଙ୍ଗାମା ଦେଖିବାକୁ ମିଳିଥିଲା । ଏହାସହ ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସିବା ସହ ବ୍ରିଟିସ ଶାସନ ଚଳିବନାହିଁ ବୋଲି ନାରାବାଜି ଦେବାରେ ଲାଗି ପଡିଥିଲେ । ଅନ୍ୟପଟେ ଏହି ନାରାବାଜି ମଧ୍ୟରେ ଅଳ୍ପ ସମୟ ପାଇଁ ଗୃହ କାର୍ଯ୍ୟ ଚାଲୁ ରହିଥିବା ବେଳେ କଂଗ୍ରେସ ବିଧାୟକ ସଚିବଙ୍କ ଚେୟାରରୁ ଟାଣି ଉଠାଇ ଦେଇଥିଲେ । ଅପରପକ୍ଷରେ ବାଚସ୍ପତି ଗୃହକୁ ଶାନ୍ତ କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଳି ପାରିନଥିଲା । ଯାହାଫଳରେ ବାଚସ୍ପତି ଆସନ୍ତାକାଲି ଯାଏଁ ସଭାକୁ ମୁଲତବି କରିଥିଲେ ।