ଚାନ୍ଦବାଲି (ଏଟିଆର ବ୍ୟୁରୋ): ଗ୍ୟାସ ଲିକରୁ ଘରେ ନିଆଁ ଲାଗି ଚାଲିଗଲା ଜୀବନ । ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଁସଡା ଥାନା ଅଧୀନସ୍ଥ ଚରଦିଆ ଗାଁରେ ଗ୍ୟାସ ଲିକ କାରଣରୁ ଘରେ ନିଆଁ ଲାଗି ଯାଇଥିଲା । ଏହି ନିଆଁରେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୬ବଖରା ଘର ସହ ଲକ୍ଷ୍ୟଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନାନୁଯାୟୀ, ଆଜି ସକାଳୁ ପୂର୍ଣ୍ଣମା ଦାସ ନାମକ ଜଣେ ମହିଳା ନିଜ ଶଶୂର ଓ ଶାଶୁଙ୍କ ପାଇଁ ଚାହା କରିବାକୁ ରୋଷେଇ ଘରକୁ ଯାଇଥିବା ବେଳେ ଗ୍ୟାସ ଲଗାଇଥିଲେ ।
ହେଲେ ସେଥିରୁ ଗ୍ୟାସ ଲିକ ହୋଇଥିବା ସେ ଜାଣି ପାରି ନଥିଲେ । ତା’ପରେ ସେହି ଗ୍ୟାସରେ ନିଆଁ ଲଗାଇଯିବାରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଯେଉଁଥିରେ ପୂର୍ଣ୍ଣମା ଜିଅନ୍ତା ଦଗ୍ଧ ହୋଇଯାଇଥିଲେ । ଏଥିରେ କେବଳ ତାଙ୍କର ଦୁଇ ବଖରା ଘର ଜଳିଯାଇଥିଲା ତାହା ନୁହେଁ ବଂର ତାଙ୍କ ପଡୋଶୀ ଘରର ଚାଳ ବଖରା ଘର ବି ଜଳିଯାଇଥିଲା । ଏହି ଘଟଣା ଘଟିବା ସମୟରେ ପୂର୍ଣ୍ଣମାଙ୍କ ସ୍ୱାମୀ ପ୍ରଶାନ୍ତ ଘରେ ନଥିବା ବେଳେ ତାଙ୍କ ଶାଶୁ ଓ ଶଶୂର ବାହାରେ ଚା’ ପିଇବା ପାଇଁ ଅପେକ୍ଷା କରିଥିଲେ । ଅନ୍ୟପଟେ ନିଆଁ ଲାଗିବା ଘଟଣା ଚାନ୍ଦବାଲି ଅଗ୍ନିଶମ ବାହିନୀକୁ ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଏ ସମସ୍ତ ଘଟଣା ସମ୍ପର୍କରେ ପୂର୍ଣ୍ଣମାଙ୍କ ଘର ଲୋକ ଜାଣିବା ପରେ ପୂର୍ଣ୍ଣମାକୁ ହତ୍ୟା କରାଯାଇଥିବା କହିଛନ୍ତି ।
ସୂଚନାନୁଯାୟୀ , ଗତବର୍ଷ ଭଦ୍ରକ ଜିଲ୍ଲାର ଓରାସାହି ପଞ୍ଚାୟତର ବାଘନଟା ଗ୍ରାମର ପୂର୍ଣ୍ଣମା ଦାନ (୨୨) ବାଁସଡା ଥାନା ଅନ୍ତର୍ଗତ ଚରଦିଆ ଗାଁର ପ୍ରଶାନ୍ତ ମହାଳିକ (୨୯)ଙ୍କୁ ବିବାହ କରିଥିଲେ । ତେବେ ପୂର୍ଣ୍ଣମାକୁ ଆଜି ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ବାଁସଡା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳୁଛି ।