ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମେ ବିଭିନ୍ନ ସମୟରେ ଦେଖିଛେ କୌଣସି କାରଣ ପାଇଁ ଆନ୍ଦୋଳନକାରୀମାନେ ରାସ୍ତାରୋକ କରି ଆନ୍ଦୋଳନ କରୁଥିବାର । ଯାହାଫଳରେ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । କେଉଁଠି ରାସ୍ତା ରୋକ ପାଇଁ ଆମ୍ବୁଲାନ୍ସକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡେତ ଆଉ କେଉଁଠି ପରୀକ୍ଷାର୍ଥୀଟେ ଏଥିରେ ଫସି ଯାଇ ପରୀକ୍ଷାରୁ ବଞ୍ଚିତ ହୁଏ । ତେବେ ସେହି ରାସ୍ତା ରୋକ ଆନ୍ଦୋଳନକୁ ନେଇ ସୁପ୍ରିମ କୋର୍ଟ କହିଛନ୍ତି ଗଣତନ୍ତ୍ର ଶାସନରେ ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ଅଛି । ମାତ୍ର ପ୍ରତିବାଦ ନାଁରେ ରାସ୍ତା ରୋକ କରିହେବ ନାହିଁ । ଏ ଅଧିକାର କାହାର ନାହିଁ । ଆନ୍ଦୋଳନ କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ସ୍ଥାନ ସ୍ଥିର କରାଯାଉ ।
ଶାହିନବାଗ ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ସୂଚନାଯୋଗ୍ୟ ସାହିନବାଗରୁ ଆନ୍ଦୋଳନକୁ ହଟାଇବା ଉଦ୍ଦେଶ୍ୟରେ ଡ. ନନ୍ଦ କିଶୋର ଗର୍ଗ ଏବଂ ଅମିତ ସାହାନୀ ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ କରିଥିଲେ । ନାଗରିକ ସଂଶୋଧନ ଆଇନ ସିଏଏକୁ ବିରୋଧ କରି ଆନ୍ଦୋଳନ ଚାଲୁଥିଲା । ଯାହା ଫଳରେ ଦିଲ୍ଲୀରେ ରାସ୍ତା ଅବରୋଧ ଦେଖିବାକୁ ମିଳିଥିଲା । ଏହି ଘଟଣାର ସମସ୍ୟା ପାଇଁ ସୁପ୍ରିମ କୋର୍ଟ ଏକ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି ।