ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତ ସପ୍ତାହେ ହେବ ରାଜ୍ୟରେ ଧୀରେ ଧୀରେ ଶୀତର ଲହରୀ କମିଥିବା ବେଳେ ଖରାର ଆଗମନ ହେବାରେ ଲାଗିଛି । ତେଣୁ ଦିନ ବେଳା ଏବେ କିଛି କିଛି ମାତ୍ରାରେ ଗରମ ଅନୁଭବ ହେବା ସହ ଲୋକମାନେ ଗରମରେ ଛଟପଟ ହେଉଥିବାର ଦେଖିବାକୁ ମିଳୁଛି । ତେବେ ରାଜ୍ୟରେ ଶୀତ ଅନୁଭବ କମିଥିବା ବେଳେ ଗତକାଲିଠାରୁ କିଛି କିଛି ସ୍ଥାନରେ ପୁଣି କୁହୁଡି ପରିଲକ୍ଷିତ ହୋଇଛି । ଏହାସହ ଆସନ୍ତା ୩ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ଘନ କୁହୁଡି ଜାରି ରହିବ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ବଢିବ । ଓଡିଶାରେ ଘନକୁହୁଡି ଜାରି ରହିବ । ୨୦୦ମିଟରରୁ ଅଧିକ ରାସ୍ତା ଦୃଶ୍ୟମାନ ହେବ ନାହିଁ । ଏହା ସହ ଘନ କୁହୁଡି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି । ମଙ୍ଗଳବାର ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ନୟାଗଡ, କନ୍ଧମାଳ ଆଦି ୬ଟି ଜିଲ୍ଲାକୁ ଘନକୁହୁଡି ନେଇ ୟେଲୋ ୱାର୍ନିଂ ଜାରି ହୋଇଛି । ସେହିଭଳି ବୁଧବାର ପାଇଁ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, କୋରାପୁଟ, ନୟାଗଡ, ଅନୁଗୋଳ, ଭଦ୍ରକ, ଯାଜପୁର ଆଦି ଜିଲ୍ଲାକୁ ଘନକୁହୁଡି ନେଇ ୟେଲୋ ୱାନିଂ ଜାରି ହୋଇଛି ।