ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ ୫ ମାସ ମଧ୍ୟରେ ୩୮ କୋଟି ୬୭ ଲକ୍ଷ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛି ପରିବହନ ବିଭାଗ । ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତତ ରଖି ଏମିତି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗତ ସେପ୍ଟମ୍ବର ୧ ତାରିଖରୁ ଚଳିତ ବର୍ଷ ଜାନୁଆରୀ ମାସ ସୁଦ୍ଧା ଏହି ଜୋରିମାନା ଆଦାୟ ହୋଇଛି । ଏହା ସହ ସେପ୍ଟମ୍ବର ପହିଲାରୁ ୪ଲକ୍ଷ ୧୩ ହଜାର ୯୯୪ ଜଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ଲକ୍ଷ ୮୭ ହଜାର ୯୩୨ ଜଣ ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରାଯାଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଗତ ସେପ୍ଟମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ କରାଯାଇଥିଲା । ଏହା ପରେ ଲୋକ ମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଇଥିଲା । ଯାହାକୁ ନେଇ ବହୁ ଯାଗାରେ ଜନତା ଓ ପୋଲିସଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ମଧ୍ୟ ହୋଇଥିବାର ନଜର ଆସିଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିୟମକୁ କୋହଲ କରାଯାଇ ଲୋକ ମାନଙ୍କୁ ସମୟ ଦିଆଯାଇ ଗାଡି କାଗଜ ପତ୍ର ଠିକ କରିବା , ଡ୍ରାଇଭିଂ ଲାଇସେନ୍ସ କରିବା ଆଦି ପାଇଁ ସମୟ ଦିଆଯାଇଛି । ଏହି ସମୟ ସୀମା ଚଳିତ ମାସ ଫେବୃଆରୀ ୨୯ ତାରିଖରେ ସରିବ ।