ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ଜୟଲଳିତାଙ୍କ ୭୨ତମ ଜନ୍ମ ଜୟନ୍ତି । ଏହି ଅବସରରେ ଫିଲ୍ମ ‘ଥଲାଇଭି’ ର ନିର୍ମାତା କଙ୍ଗନାଙ୍କ ଫାଷ୍ଟ ଲୁକ୍ ଜାରି କରିଛନ୍ତି । ଏହି ଫିଲ୍ମରେ କଙ୍ଗନା ଜୟଲଳିତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । କଙ୍ଗନାଙ୍କର ଯେଉଁ ଲୁକ୍ ଜାରି କରାଯାଇଛି ତାହା ଜୟଲଳିତାଙ୍କ ରାଜନୀତିରେ ଆସିବା ପରର ଲୁକ୍ସ । ଫିଲ୍ମଟି ତାମିଲନାଡୁର ଦିବଗନ୍ତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କାହାଣୀ ଉପରେ ଆଧାରିତ ।
ଜୟଲଳିତା ଯେଉଁଭଳି ଭାବେ ଶାଢି ପିନ୍ଧୁଥିଲେ ଠିକ୍ ସେହିଭଳି ଏହି ଲୁକ୍ସରେ କଙ୍ଗନା ଶାଢୀ ପିନ୍ଧିଥିବାର ନଜର ଆସୁଛନ୍ତି । ଏହାସହିତ ମଥାରେ ବଡ ବିନ୍ଧି ଲଗାଇ ଅବିକଳ ଜୟଲଳିତାଙ୍କ ଭଳି ଦିଶୁଛନ୍ତି ।
ଏହି ଫିଲ୍ମରେ କଙ୍ଗନାଙ୍କ ବିପରୀତରେ ନାୟକ ସାଜିଛନ୍ତି ସାଉଥ ହିରୋ ଅରବିନ୍ଦ ସ୍ୱାମୀ । ଫିଲ୍ମଟିକୁ ବିଜୟ ନିର୍ଦ୍ଦେଶିତ କରୁଥିବା ବେଳେ ବିଷ୍ଣୁ ଇନ୍ଦୋରୀ ଏବଂ ଶୈଳେଶ ଆର ସିଂହ ପ୍ରଯୋଜନା କରିଛନ୍ତି ।
ଏହି ଲୁକ୍ସ ପାଇଁ କଙ୍ଗନାଙ୍କୁ ୮ ରୁ ୧୦ କିଲୋ ଓଜନ ବଢାଇବାକୁ ପଡିଛି । ଯାହାଫଳରେ ସେ ସମ୍ପୂର୍ଣ୍ଣ ଜୟଲଳିତାଙ୍କ ଭଳି ନଜର ଆସିବେ । ଏହି ଫିଲ୍ମର ସୁଟିଂ ଗତ ବର୍ଷ ନଭେମ୍ବର ମାସରୁ ଆରମ୍ଭ ହୋଇଛି ।