ବାଙ୍କୀ(ଏଟିଆର ବ୍ୟୁରୋ): କଂଗ୍ରେସ ତରଫରୁ କଟକ ଜିଲ୍ଲା ବାଙ୍କୀରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବାଙ୍କୀ ଖଜୁରିପଦା ଡବଲ ମର୍ଡର ଘଟଣାକୁ ନେଇ ଏହି ବନ୍ଦ ପାଳନ କରାଯାଉଛି । ଡବଲ ମର୍ଡର ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଏହି ବନ୍ଦ ପାଲନ କରାଯାଇଛି । ଘଟଣାଟିକୁ ୧୪ ଦିନରୁ ଅଧିକ ହୋଇଥିବା ବେଳେ ଏଯାବତ ପୋଲିସର ହାତ ଫାଙ୍ଖା ରହିଛି । ତେବେ ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଫଳରେ ବାଙ୍କୀରେ ଦୋକାନ ବଜାର ବନ୍ଦ ରହିଛି । ଆଜି ସକାଳେ ବହୁ କଂଗ୍ରେସ କର୍ମୀ ମାନେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଫଳରେ ବାଙ୍କୀ- କଟକ- ବୈଦେଶ୍ୱର- କଳାପଥର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ରାସ୍ତାର ଦୁଇ ପାର୍ଶରେ ବହୁ ଗାଡି ଅଟକି ରହିଛି । ସୁରକ୍ଷାକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତକିଛି ଦିନ ତଳେ ଏହି ଘଟଣା ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବୀ କରିଥିଲେ ।
ସୂଚନା ଯୋଗ୍ୟ ଗତ ଫେବୃଆରୀ ୧୫ ତାରିଖରେ ବାଙ୍କୀ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ଓ ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂଙ୍କୁ ଜୋକଲାଞ୍ଜିଠାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣା ପରେ ମୃତ ଭଗବାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଯେଉଁ ଭିଡିଓରେ ଭଗବାନ ଅଭିଯୁକ୍ତ ମାନଙ୍କର ନାଁ ନେଉଥିବାର ଦେଖିବାକୁ ମିଳୁଛି । ଅନ୍ୟପଟେ ଭାଗବାନ ଓ ଆଦିତ୍ୟଙ୍କୁ ରାଜନୈତିକ ଶତୃତାକୁ କେନ୍ଦ୍ର କରି ହତ୍ୟା କରାଯାଇଛି ବୋଲି ସେମାନଙ୍କ ପରିବାର ଲୋକ ଦାବି କରିଛନ୍ତି ।