ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା । ହୁଏତଃ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜକୁ ନିୟୋଜିତ କରି ନାହାଁନ୍ତି,କିନ୍ତୁ ସେ ସବୁବେଳେ ଲାଇମଲାଇଟରେ ରହିଥାନ୍ତି ।
ଗତ କିଛି ଦିନ ପୂର୍ବେ ଶୁଣିବାକୁ ମିଳିଥିଲା ଯେ ଶ୍ୱେତା ତାଙ୍କ ଜେଜେ ବାପା ହରିବଂଶ ରାୟ ବଚ୍ଚନଙ୍କ ଅନୁମତି କ୍ରମେ ଲେଖିକା ହେବାକୁ ଯାଉଛନ୍ତି । ସେହି ମଝିରେ ତାଙ୍କର ଏକ ନୂତନ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଫିଲ୍ମ ‘ଶାଦି ମେଁ ଜରୁର ଆନା(୨୦୧୭)’ର ଗୀତ ‘ପଲୁ ଲଟକେ’ରେ ଅଣ୍ଟା ହଲାଇ ଖୁବ୍ ନାଚୁଥିବାର ନଜର ଆସିଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଶ୍ୱେତାଙ୍କୁ ଏକ ଧଳା ରଙ୍ଗର ଶାଢୀ ପିନ୍ଧି ଥିବାର ଦେଖିବାକୁ ମିଳିଛି । ଏବଂ ସେ ଏହି ଗୀତରେ ଠୁମକା ମାରି ଦର୍ଶକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରୁଛନ୍ତି । ଏହି ଭିଡିଓଟି ଫ୍ୟାସନ ଡିଜାଇନର ସନ୍ଦୀପ ଖୋସଲାଙ୍କ ପୁତୁରା ସୌଦାମିନ ମଟ୍ଟୁଙ୍କ ବିବାହ ପାର୍ଟିର ବୋଲି ଜାଣିବାକୁ ମିଳିଛି । ଏହି ପାର୍ଟିରେ ବଲିଉଡର ଅନେକ କଳାକାରମାନେ ମଧ୍ୟ ଉପସ୍ଥିତ ଥିଲେ ।
ଅମିତାଭ ବଚ୍ଚନଙ୍କ ବଡ ଝିଅ ହେଉଛନ୍ତି ଶ୍ୱେତା । ସେ ୧୯୯୭ରେ ନିଖିଲ୍ ନନ୍ଦାଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ । ଶ୍ୱେତାଙ୍କ ଦ୍ୱାରା ଲିଖିତ ପ୍ରଥମ ବହି ‘ପାରାଡାଇଜ୍ ଟାୱାରର୍ସ’ଅକ୍ଟୋବରରେ ଲଞ୍ଚ ହେବାକୁ ଯାଉଛି । ତାଙ୍କ କହିବାନୁଯାୟୀ,ସକାଳୁ ବେଡରୁ ଉଠିଲା ପରେ ମୋ ମନରେ ‘ପାରାଡାଇଜ୍ ଟାୱାରର୍ସ’ଲେଖିବା ପାଇଁ ବିଚାର ଆସିଥିଲା । ଏହା ମୋ ପାଇଁ ଅସ୍ୱାଭାବିକ ନୁହେଁ । ମୁଁ ଗୋଟେ କଥାକାର ପରିବାରରୁ ଜନ୍ମ ନେଇଛି । ପିଲାଦିନୁ ଆମକୁ ପଢିବା ଏବଂ ଲେଖିବା ପାଇଁ ପ୍ରୋଶ୍ଚାହିତ କରାଯାଇଥିଲା ।