ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସିଏଏକୁ ନେଇ ଦିଲ୍ଲୀରେ ଏବେ ତୁମ୍ବି ତୋଫାନ ଚାଲିଛି । ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହେବାରୁ ପ୍ରତ୍ୟେକ ଦିନ ମୃତ ଓ ଆହତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ତେବେ ଦିଲ୍ଲୀ ଦଙ୍ଗାରେ ଘର ପୋଡି ଯାଇଥିବା ଯବାନ ଅନିସଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅନିସଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଯବାନ ମହମ୍ମଦ ଅନିସ ମାଲକାନଗିରିରେ କାର୍ଯ୍ୟରତ ଅଛନ୍ତି । ଗତ ୨୫ ତାରିଖରେ ଦଙ୍ଗାକାରୀମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଫଳରେ ତାଙ୍କ ଘର ଜଳି ପୋଡି ଛାରଖାର ହୋଇ ଯାଇଛି ।
ସୂଚନାଯୋଗ୍ୟ ଆଜି ଦିଲ୍ଲୀ ଶାହୀନବାଗ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ପାଖାପାଖି ୧ ହଜାର ଯବାନ ନିୟୋଜିତ ହୋଇଛନ୍ତି । ପୋଲିସ ଦଙ୍ଗାକାରୀଙ୍କୁ ବିଶୃଙ୍ଖଳା ନକରିବା ପାଇଁ ଚେତାବନୀ ଦେବା ସହିତ ଦଙ୍ଗାକଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି । ଅନ୍ୟପଟେ ଉତ୍ତର-ପୂର୍ବ ଦିଲ୍ଲୀରେ ମାର୍ଚ୍ଚ ୭ ପର୍ୟ୍ୟନ୍ତ ସ୍କୁଲ ବନ୍ଦ ରହିବ। ହିଂସାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ସ୍ଥଗିତ ରଖାଯାଇଛି। ନୂଆ ପରୀକ୍ଷା ତାରିଖକୁ ଶୀଘ୍ର ଜଣାଇବ ବୋଲି ବୋର୍ଡ କହିଛି।