ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଗତକାଲିଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳା । ଏହି ମେଳାକୁ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିଛନ୍ତି । ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ସହଯୋଗରେ ଆୟୋଜିତ ଏହି ବିକ୍ରୟମେଳା ଓ ପ୍ରଦର୍ଶନୀ ଯୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଯାଇଛି । ଏହି ମେଳା ମୋଟ ୧୧୦ଟି ଷ୍ଟଲରେ ୧୩୬ଜଣ କାରିଗର ନିଜର କଳା ସାମଗ୍ରୀର ପସରା ମେଲାଇଛନ୍ତି । ଏହି ମେଳା ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଚାଲିବ ।
ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ପଦ୍ମିନୀ ମେଳା ପରିସର ଓ ବିଭିନ୍ନ ଷ୍ଟଲ ବୁଲି ସମସ୍ତଙ୍କ ହସ୍ତକଳା ଓ ହସ୍ତ ଶିଳ୍ପ ଦେଖିବା ସହ କାରିଗରଙ୍କ ସହ କଥା ହୋଇଥିଲେ । ହସ୍ତକଳା ଓ ହସ୍ତଶିଳ୍ପକୁ ଧୀରେ ଧୀରେ ହଜିଯାଉଥିବା ବେଳେ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କରାଯାଉଥିବା ଏହି ମେଳା ଅତ୍ୟନ୍ତ ସହଯୋଗୀ ହେବ ବୋଲି ସଭିଏଁ ଆଶା ବ୍ୟକ୍ତ କରିଛନ୍ତି । ଏହି ମେଳାରେ କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଜଗତସିଂହପୁର, କଟକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ ଜିଲାର ଶିଳ୍ପୀ ତଥା କାରିଗରମାନେ ଅଂଶଗ୍ରହଣ କରିଛନ୍ତି।
ମେଳାରେ ପିପିଲର ଚାନ୍ଦୁଆ ଠାରୁ ଆରମ୍ଭ କରି କାଠର କାରୁକାର୍ଯ୍ୟ, ପଥର ତିଆରି କାରୁକାର୍ଯ୍ୟ ଦାନ ତିଆରି ଅଳଙ୍କାର ଓ ଜନଜାତି ଅଳଙ୍କାର ମଧ୍ୟ ପ୍ରଦର୍ଶତ ହେଉଥିବାରୁ ଏହା ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରୁଛି । ଯାହାଫଳରେ ମେଳାରେ ୫୦ଲକ୍ଷରୁ ଅଧିକ ହସ୍ତଶିଳ୍ପ ବିକ୍ରି ହେବା ନେଇ ଆକଳନ କରିଛି ବିଭାଗ । ମେଳା ବୁଲିବା ଛଡା ଓଡିଶାର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟର ପଶରା ଖେଳିଥିବାରୁ ଏହା ଦର୍ଶକଙ୍କୁ ମେଳାପ୍ରତି ଅଧିକ ଆକୃଷ୍ଟ କରିବ ବୋଲି ବିଭାଗ ଆଶା ବ୍ୟକ୍ତ କରିଛି ।