ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶାସ୍ତ୍ର ଅନୁଯାୟୀ ଭଗବାନ ଗଣେଶଙ୍କର ପ୍ରିୟ ଦିନ ହେଉଛି ବୁଧବାର । ଯଦି ଏହି ଦିନ ବିଧି ବିଧାନ ସହିତ ଗଣେଶଙ୍କର ପୂଜାର୍ଚ୍ଚନା କରାଯାଏ, ତେବେ କେବଳ ଆପଣଙ୍କର ସଙ୍କଟ ଦୂର ହୁଏ ତାହା ନୁହେଁ ବରଂ ଗଜାନନ ପ୍ରସନ୍ନ ହୋଇ ସୁଖ-ସମୃଦ୍ଧିର ବରଦାନ ପ୍ରଦାନ କରିଥାନ୍ତି । ଶିବପୁରାଣ ଅନୁଯାୟୀ ଗଣେଶଙ୍କୁ ପ୍ରଥମ ପୂଜ୍ୟ ହେବାର ଆର୍ଶିବାଦ ଦେଇଥିଲେ ଭଗବାନ ଶିବ । ସେଥିପାଇଁ ସବୁ ଦେବା-ଦେବୀଙ୍କଠଶରୁ ସର୍ବ ପ୍ରଥମେ ଗଣେଶ ଭଗବାନଙ୍କର ପୂଜା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଗଣେଶ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ କେଉଁଭଳି ଭାବେ ପୂଜାର୍ଚ୍ଚନା କରିବା ଏବଂ ପୂଜାରେ କେଉଁ ମନ୍ତ୍ର ଜପିବା ଉଚିତ୍ ।
ପ୍ରତ୍ୟେକ ଶୁଭ କାମରେ ଗଣେଶ ଭଗବାନଙ୍କୁ ଆହ୍ୱାନ କରିବା ନିହାତି ଆବଶ୍ୟକ । ଗଣେଶ ଭଗବାନଙ୍କୁ ସ୍ୱତନ୍ତ୍ର ଭାବେ ଗଣେଶ ପୂଜାରେ ପୂଜା କରାଯାଇଥାଏ । କିନ୍ତୁ ଏହାବ୍ୟତିତ ଆପଣ ପ୍ରତ୍ୟେକ ବୁଧବାର ଦିନ ଗଣେଶଙ୍କୁ ଆରଧନା କରିବା ଦ୍ୱାରା ସୁଖ ସମୃଦ୍ଧି ଲାଭ ହୋଇଥାଏ ।
ଗଣେଶଙ୍କ ପୂଜା ସାମଗ୍ରୀ:- ଗଣେଶ ଭଗବାନଙ୍କୁ ପୂଜା କରିବା ପାଇଁ କିଛି ଖାସ୍ ସାମଗ୍ରୀ ରହିଛି । ଯେପରିକି ଶୁଦ୍ଧ ଜଳ, ଖୀର , ଦହି, ମହୁ, ଘିଅ, ଚିନି, ପଞ୍ଚାମୃତ, ବସ୍ତ୍ର, ଯଜ୍ଞପବିତ, ସୁଗନ୍ଧ, ଲାଲ ଚନ୍ଦନ, ରୋଲି, ସିନ୍ଦୁର, ଗଙ୍ଗାଜଳ,ପାନ, ସୁପାରୀ, ରୁଇ, କର୍ପୁର, ଅକ୍ଷତ, ଫୁଲ, ଦୂବ, ଶମିପତ୍ର, ଅବୀର, ଆଭୂଷଣ, ଧୂପ, ଦୀପ ଏବଂ ପ୍ରସାଦ ଆଦି । ଏହାସହିତ କଳଶ ରଖିବା ପାଇଁ ଚାଉଳ ନିହାତି ଆବଶ୍ୟକ ।
ପୂଜା-ବିଧି: ସକାଳୁ ସ୍ନାନ ସାରି ପ୍ରଥମେ ତମ୍ବା ପାତ୍ରରେ ଶ୍ରୀଗଣେଶ ଯନ୍ତ୍ରକୁ ସଫା ମାଟି, ଲୁଣ, ଲେମ୍ବୁ ଦ୍ୱାରା ଭଲ ଭାବେ ସଫା କରିନିଅନ୍ତୁ । ପୂଜାସ୍ଥଳରେ ପୂର୍ବ ବା ଉତ୍ତର କୋଣକୁ ମୁହଁ କରି ଆସନ ଉପରେ ବସି ଶ୍ରୀଗଣେଶ ଯନ୍ତ୍ର ସ୍ଥାପନା କରନ୍ତୁ । ସେହିପରି ଶୁଦ୍ଧ ଆସନରେ ବସି ସମସ୍ତ ପୂଜା ସାମଗ୍ରୀକୁ ଏକତ୍ରିତ କରି ଫୁଲ, ଧୂପ, ଦୀପ, ରୋଲି, ଚନ୍ଦନ, ମୋଦକ ଆଦି ସମର୍ପିତ କରି ଭଗବାନଙ୍କଠାରେ ଆଳତୀ କରନ୍ତୁ । ଶେଷରେ ଗଣେଶ ଜୀଙ୍କୁ ସ୍ମରଣ କରି ଓଁ ଗଣପତୟେ ନମଃ କୁ ୧୦୮ ଥର ଜପନ୍ତୁ ।
ପଣ୍ଡିତଙ୍କ କହିବାନୁଯାୟୀ, ବୁଧବାର ଦିନ ଗଣେଶ ଭଗବାନଙ୍କର ବିଧି ବଦ୍ଧ ଭାବେ ପୂଜାର୍ଚ୍ଚନା କରିବା ପରେ ଗୁଡ ଏବଂ ଘିଅ ଭୋଗ ଲଗାନ୍ତୁ । କିଛି ସମୟ ପରେ ସେହି ଭୋଗକୁ ଗାଈକୁ ଦେଇ ଖାଇବାକୁ ଦିଅନ୍ତୁ । ଏଭଳି କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ସେହିପରି ଏହିଦିନ ଯଦି ଘରେ ଗଣେଶଙ୍କର ଧଳା ରଙ୍ଗର ପ୍ରତିମା ସ୍ଥାପନା କରିବେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
ଏହାବ୍ୟତିତ ବୁଧବାର ଦିନ ଗଣେଶ ଭଗବାନଙ୍କୁ ସମି ପତ୍ର ଅର୍ପଣ କରନ୍ତୁ । ଏହାଦ୍ୱାରା ତୀକ୍ଷ୍ଣ ବୁଦ୍ଧି ହୋଇଥାଏ ଏବଂ କଳହ ନାଶ ହୋଇଥାଏ ।