ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ମେ’ ୧୭ ତାରିଖରେ ଜେଇଇ ଆଡଭାନ୍ସଡ ଅନୁଷ୍ଠିତ ହେବ । ବର୍ଷ ୨୦୨୦-୨୧ ଶିକ୍ଷାବର୍ଷରେ ଦେଶରେ ଥିବା ୨୩ଟି ଆଇଆଇଟିରେ ନାମଲେଖା ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ପରୀକ୍ଷା ପରିଚାଳନା କରୁଥିବା ଦିଲ୍ଲୀ ଆଇଆଇଟି ପକ୍ଷରୁ ଇନ୍ଫରମେସନ ବ୍ରୋଚର ପ୍ରକାଶ ପାଇଛି। ପରୀକ୍ଷା ନିମନ୍ତେ ପରୀକ୍ଷାର୍ଥୀମାନେ ମେ ୧ରୁ ୭ତାରିଖ ମଧ୍ୟରେ ନିଜ ନାମ ପଞ୍ଜୀକରଣ କରିପାରିବେ । ତେବେ ଆବେଦନ ଫି’ ଦାଖଲର ଶେଷ ତାରିଖ ମେ’ ୭ତାରିଖ ରହିଛି । ଅନ୍ୟପଟେ ମେ’ ୧୭ରେ ହେବାକୁ ଥିବା ପରୀକ୍ଷାକୁ ୨ଟି ସିଟିଂରେ ଅନୁଷ୍ଠିତ କରାଯିବ ।
ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ସିଟିଂ ସାଢେ ୨ଟାରୁ ଆରମ୍ଭ ହୋଇ ସାଢେ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ମେ’ ୧୨ତାରିଖ ସକାଳ ୧୦ଟାରୁ ୧୭ତାରିଖ ସକାଳ ୯ଟା ମଧ୍ୟରେ ଛାତ୍ରଛାତ୍ରୀ ଆଡମିଟ କାର୍ଡ ଡାଉନ୍ଲୋଡ କରିପାରିବେ। ଏଥର ପରୀକ୍ଷା ପାଇଁ ସାରା ଦେଶରେ ୭ଟା ଆଇଆଇଟି ଜୋନ କରାଯାଇଛି। ଖଡ଼ଗପୁର ଆଇଆଇଟି ଜୋନ ଅଧୀନରେ ଆସୁଥିବା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭୁବନେଶ୍ୱର ସମେତ ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯିବ। ଜୁନ ୮ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରକାଶିତ ବ୍ରୋଚରରେ କୁହାଯାଇଛି। ଯେଉଁମାନେ ଜେଇଇ ଆଡଭାନ୍ସଡ ପାଇଁ ଯୋଗ୍ୟ ବିବେଚିତ ହେବେ, ସେମାନେ jeeadv.ac.in ୱେବ୍ସାଇଟ୍ରୁ ପରୀକ୍ଷା ସମ୍ପର୍କିତ ଅଧିକ ତଥ୍ୟ ଜାଣିପାରିବେ।