ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାରା ବିଶ୍ୱ ଏବେ ଭୟଙ୍କ କରୋନା ଭାଇରସ ସହ ଲଢେଇ କରୁଛି । ତେବେ ଏହି ମହାମାରୀରୁ ମୁକୁଲିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ କଟକଣା ଓ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଲକ୍ ଡାଉନ ଠାରୁ ଆରମ୍ଭ କରି ଜନତା କର୍ଫ୍ୟୁ ଏମିତି ଭିନ୍ନ ଭିନ୍ନ କଟକଣା । ସୂଚନା ଅନୁସାରେ ଏହି ଭାଇରସ ୧୮୮ଟି ଦେଶକୁ ବ୍ୟାପି ସାରିଲାଣି ।ତେବେ ଏହି ଭୟଙ୍କର ଭାଇରସ ଭାରତରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଭାରତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ରୁ ଉର୍ଦ୍ଧକୁ ଟପିଲାଣି । ସେହିଭଳି ରିର୍ପୋଟ ଅନୁସାରେ ୭ ଜଣଙ୍କର ଏହି ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିସାରିଲେଣି ।
ଦେଶର ସୁରକ୍ଷା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ । ଯାହାକୁ ଦେଶବାସୀ ମାନେ ଶତ ପ୍ରତିଶତ ସର୍ମଥନ କରିଛନ୍ତି । ବୃଦ୍ଧା ଲୋକଙ୍କ ଠାରୁ ଆରମ୍ଭ କରି ଛୁଆ ପର୍ଯ୍ୟନ୍ତ ସମସ୍ତେ ଗତକାଲି ଘରେ ରହି ପ୍ରଧାନମନ୍ତ୍ରୀ ଦେଇଥିବା ଜନତା କଫ୍ୟୁକୁ ସର୍ମଥନ କରିଥିଲେ । ତେବେ ସର୍ବଦା କାମ ବ୍ୟସ୍ତରେ ରହୁଥିବା ଲୋକ ମାନେ ଜନତା କର୍ଫ୍ୟୁକୁ ସର୍ମଥନ କରି ଘରେ ରହିଥିଲେ । ଏନେଇ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଯେଉଁ ଭିଡିଓ ମାନଙ୍କରେ କିଛି ଲୋକ ନିଜ ଛୁଆ ମାନଙ୍କୁ ପାଠ ପଢାଉଥିବାର ଦେଖିବାକୁ ମିଳିଥିଲା । ସେମିତି ଆଉ କିଛି ଭିଡିଓରେ ଲୋକ ମାନେ ସେମାନଙ୍କ ଘର ଲୋକଙ୍କ ସହ ହସଖୁସିରେ ବେଶ କିଛି ସମୟ ବିତାଉ ଥିବାର ଦେଖିବାକୁ ମିଳିଛି । ଏହା ସହ କିଛି ଭିଡିଓରେ ମହିଳା ମାନେ ଜନତା କର୍ଫ୍ୟୁ ବେଳେ ପୋଲିସ କର୍ମଚାରୀଙ୍କୁ ଖାଦ୍ୟ ଦେଉଥିବାର ନଜର ଆସିଛି । ସେହିଭଳି ମୋଦିଙ୍କ ଆହ୍ୱାନ କ୍ରମେ ଗତକାଲି ସଂନ୍ଧ୍ୟା ୫ଟା ବେଳେ ଏଭଳି ପରିସ୍ଥିରେ ନିଜ ଜୀବନକୁ ବାଜି ଲଗାଇ ଆମ ପାଇଁ ଦିନ ରାତି କାମ କରୁଥିବା ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀ ମାନଙ୍କ ପାଇଁ ସାରା ଦେଶର ଲୋକ ଘଣ୍ଟ, ତାଳି, ଘଣ୍ଟି ଓ ଶଙ୍ଖ ପୁଙ୍ଖି ଥିଲେ । ତେବେ ଶେଷରେ ଗୋଟିଏ କଥା କୁହାଯାଇ ପାରିବ ସମ୍ପର୍କ ଯୋଡିଲା ଭାଇରସ ।