ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଟ୍ରେନ ଭିତରୁ ବିଷ୍ଫୋରକ ଦ୍ରବ୍ୟ ଜବତ ହେଲା । ଏ କଥାକୁ ଏବେ ଯେତିକି ଗୁରୁତ୍ୱ ଦିଆଯାଉନାହିଁ ତାଠୁ ଢ଼େର ଅଧିକ ବାହାଷ୍ଫୋଟ ମାରିବାରେ ବ୍ୟସ୍ତ ରେଳ ବିଭାଗ । ବିଷ୍ଫୋରକ ସାମଗ୍ରୀ ଜବତ କରିଥିବା ହେଡକନଷ୍ଟେବଳଙ୍କ କାର୍ଯ୍ୟକୁ ଆମେ ପ୍ରଶାଂସା କରୁଛୁ । ହେଲେ କେମିତି ଓ କେଉଁ ପରସ୍ଥିତିରେ ବିଷ୍ଫୋରକ ସାମଗ୍ରୀ ଟ୍ରେନ ବଗି ଭିତରକୁ ଆସିଲା ତାକୁ ନେଇ ଉଠାଉଛୁ ପ୍ରଶ୍ନ । ଖାଲି ଏତିକି ନୁହେଁ ଯଦି କନଷ୍ଟେବଳ ଜଣଙ୍କ କାଲି ଏହା ଜବତ କରିନଥାନ୍ତେ ତେବେ ପରିସ୍ଥିତି କଣ’ହୋଇଥାନ୍ତା । ସେଥିପାଇଁ କିଏ ଦାୟି ହୋଇଥାନ୍ତା?
ଏମିତି ଅନେକ ପ୍ରଶ୍ନ ଆମେ ନୁହେଁ ବରଂ ସାଧାରଣ ଲୋକେ କରିଛନ୍ତି । ସବୁଠୁ ବଡ଼ ପ୍ରଶ୍ନ ହେଉଛି ବିଷ୍ଫାରକ ସାମଗ୍ରୀ ସମ୍ପର୍କରେ ଅନଭିଜ୍ଞ ଥିବା ହେଡକନଷ୍ଟେବଳଙ୍କ ଯଦି କାଲି କିଛି କ୍ଷତି ହୋଇଥାନ୍ତା ସେଥିପାଇଁ ରେଳ ବିଭାଗ କର୍ତ୍ତୃପକ୍ଷ କ’ଣ କରିଥାନ୍ତେ? ପୂରା ଘଟଣାକୁ ଦେଖିଲେ ରେଳବିଭାଗର ଖାମଖିଆଲି ଓ ଢ଼ିଲା ଡ୍ୟୁଟି ହିଁ ଏହାର ମୂଳ କାରଣ ବୋଲି ଏବେ ଜଣାପଡୁଛି । ସୁରକ୍ଷା ଲାଗି ୨ଟି ବିଭାଗ(ଆରପିଏଫ-ଜିଆରପି) ଅହରହ କାର୍ଯ୍ୟ କରୁଥିବା ଡିଣ୍ଡିମ ପିଟାଯାଉଛି । ସେଥିରେ ପୁଣି ପ୍ଲାଟଫର୍ମ ଭିତରକୁ ପ୍ରବେଶ ମାତ୍ରେ ଟିଟିଇଙ୍କ ଜବରଦସ୍ତ ଚେକିଂ । ରେଳ ବିଭାଗର ଏଭଳି ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ବିଷ୍ଫୋରକ ଦ୍ରବ୍ୟ ବଗି ଭିତରକୁ ଯିବା ରେଳ ବିଭାଗର ସୁରକ୍ଷା ବ୍ୟବସ୍ଥାର ଢ଼ିଲାପଣକୁ ଏବେ ପଦାରେ ପକାଇଛି । କିଛିଦିନ ହେବ ନକ୍ସଲଙ୍କ ଟାର୍ଗେଟରେ ରହିଛି ଟ୍ରେନ । ଏପରି ପରିସ୍ଥିତିରେ ଟ୍ରେନରୁ ଡିଟୋନେଟର ଜବତ ହେବା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠାଇଛି ଅନେକ ପ୍ରଶ୍ନ ।
ସୂଚନାଯୋଗ୍ୟ, ୨୭ତାରିଖ ବିଳମ୍ବିତ ରାତିରେ ଝାରସୁଗଡ଼ା ଷ୍ଟେସନରେ ଅଟକି ଥିବା ଆଲ୍ଲାପି-ଧାନବାଦ ଟ୍ରେନର ଏସ-୩ କୋଚରୁ ବିଷ୍ଫୋରକ ସାମଗ୍ରୀ ଜବତ ହୋଇଛି । ପ୍ଲାଟଫର୍ମରେ ଡ୍ୟୁଟି କରୁଥିବା ହେଡ କନଷ୍ଟେବଳ ଫିରୋଜ ଖାନଙ୍କ ଉପସ୍ଥିତ ବୁଦ୍ଧୀ ଯୋଗୁ ଅଳ୍ପକେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି । ବଗି ଭିତରେ ଥିବା ଏକ ବ୍ୟାଗ ଉପରେ ସନ୍ଦେହ ହେବାରୁ ଫିରୋଜ ଏହାକୁ ବାହାରକୁ ଆଣି ଯାଞ୍ଚ କରିଥିଲେ । ସେଥିରେ ୬ଟି ବିଷ୍ଫୋରକ ଦ୍ରବ୍ୟ ଥିବା ଜଣାପଡିବା ପରେ ଅକଲ ଗୁଡୁମ ହୋଇଯାଇଥିଲା ରେଳ ବିଭାଗର । ଫିରୋଜଙ୍କ ଏଭଳି ସାହସିକତା ଲାଗି ଏବେ ତାଙ୍କୁ ପୁରଷ୍କୃତ କରିବା ଲାଗି ସୁପାରିଶ କରିଛି ରେଳ ବିଭାଗ । ଏଟିଆରନ୍ୟୁଜ ପକ୍ଷରୁ ମଧ୍ୟ ଫିରୋଜଙ୍କୁ ସାଲାମ କରାଯାଉଛି ।