ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ କରୋନା ପ୍ରକୋପକୁ ରୋକିବା ପାଇଁ ଏବେ ମୁଖ୍ୟ ଅସ୍ତ୍ର ସାଜିଛି ସାମାଜିକ ଦୂରତ୍ୱ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ ସମସ୍ତେ ଏହାକୁ ପାଳନ କରୁଛନ୍ତି । ଖୋଦ୍ ସରକାର ବି ଏହି ନିୟମକୁ ସଠିକ୍ ଭାବେ ପାଳନ କରୁଛନ୍ତି । ଯାହାର ଝଲକ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ୍ ବୈଠକରେ ଦେଖିବାକୁ ମିଳିଛି ।
କରୋନା ମୁକାବିଲା ପାଇଁ ମୋଦିଙ୍କ ଅଧ୍ୟକ୍ଷତାରେ ଏକ କେନ୍ଦ୍ରୀୟ ମନ୍ତ୍ରମଣ୍ଡଳ ବୈଠକ ହୋଇଛି । ଏହି ବୈଠକରେ ସମସ୍ତ ମନ୍ତ୍ରୀ ଅତି କମ୍ରେ ଏକ ମିଟର ଦୁରତ୍ୱରେ ବସିଥିବାର ଦେଖିବାକୁ ମିଳିଛି । ଯେଉଁମାନଙ୍କ ମଧ୍ୟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନେ ବି ସାମିଲ ରହିଛନ୍ତି ।
ସୂଚନାଯୋଗ୍ୟ, କରୋନା ଭାଇରସକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହାସହିତ ସରକାରଙ୍କ ପକ୍ଷରୁ ଆହ୍ୱାନ କରାଯାଇଛି କି ସମସ୍ତେ ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ଏହା ହିଁ ହେଉଛି ଏକ ମାତ୍ର ବିକଳ୍ପ ।