ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସମ୍ ଓ କିମ୍ସ ହସ୍ପିଟାଲରେ ନିର୍ମାଣ ହେବ ଅସ୍ଥାୟୀ କରୋନା ୱାର୍ଡ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଏହି ଦୁଇଟି ହସ୍ପିଟାଲ ସହ ଚୁକ୍ତିନାମା ହୋଇଛି । ୫୦୦ ବେଡ୍ ବିଶିଷ୍ଟ କରୋନା ୱାର୍ଡ ନିର୍ମାଣ ହେବ । ସମ୍ ହସ୍ପିଟାଳରେ ୨୦ଟି ଆଇସିୟୁ ନିର୍ମାଣ କରାଯିବ ବୋଲି ସୋଆର ଭି.ସି ଅଶୋକ ମହାପାତ୍ରା ସୂଚନା ଦେଇଛନ୍ତି । ସେହିଭଳି କିମ୍ସରେ ୪୫୦ ବେଡ୍ ବିଶିଷ୍ଟ କରୋନା ୱାର୍ଡ ପ୍ରସ୍ତୁତ କରାଯିବ ବୋଲି ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି । କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ୪ଦିନ ଭିତରେ ଏହି ଅସ୍ଥାୟୀ ୱାର୍ଡ ପ୍ରସ୍ତୁତ କରାଯିବ । ତେବେ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟରେ ୨୦୦ ବେଡ୍ ବିଶିଷ୍ଟ କରୋନା ୱାର୍ଡ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଲିଥିଲା ।
ସୂଚନା ଯୋଗ୍ୟ କରୋନା ଭାଇରସ ଏବେ ସାରା ଦେଶରେ ତାର କାୟା ବିସ୍ତାର କରିବାରେ ଲାଗିଛି । ୧୯୬ ଦେଶରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ପ୍ରାୟ ୧୬ ହଜାରରୁ ଅଧିକ ଲୋକ ଏହି ଭାଇରସରେ ମୃତ୍ୟୁବରଣ କରିଛନ୍ତି । ତେବେ ଭାରତରେ ମଧ୍ୟ ଏହି ଭାଇରସ ତାର ପ୍ରକୋପ ବଢାଇବାରେ ଲାଗିଛି । ଭାରତରେ ୬୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ୨ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି ।