ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁଣି ଆଜିଠୁ ଭୁବନେଶ୍ୱରରୁ ଏୟାର ଇଣ୍ଡିଆ କାର୍ଗୋ ବିମାନ ଉଡିବ । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ ଓ ଭୁବନେଶ୍ୱରରୁ ଦିଲ୍ଲୀ ଯିବ । ବିମାନଟି ଆଜି ଅପରାହ୍ନ ୩.୩୦ରେ ରାୟପୁରରୁ ବାହାରି ୪.୫୦ରେ ଭୁବନେଶ୍ୱରରେ ପହଞ୍ଚିବ।ଭୁବନେଶ୍ୱରରୁ ସଂଧ୍ୟା ୫.୨୦ରେ ଛାଡ଼ି ରାତି ୮.୨୦ରେ ଦିଲ୍ଲୀରେ ପହଞ୍ଚିବ। ତେବେ ଆଗକୁ ମଧ୍ୟ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ ଏହି କାର୍ଗୋ ବିମାନ। ଦେଶରେ ଲକ୍ ଡାଉନ୍ ପାଇଁ ଗତ ୨୨ ତାରିଖରୁ ଅନ୍ୟ ବିମାନ ସେବା ବନ୍ଦ ରହିଛି।
ସୂଚନା ଯୋଗ୍ୟ ସାରା ବିଶ୍ୱରେ କରୋନା ଭାଇରସ ପାଇଁ ହାହାକାର ପଡିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସରରେ ପ୍ରାୟ୨୪ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଏହି ଭାଇରସ ୧୯୮ ଟି ଦେଶକୁ ବ୍ୟାପି ସାରିଲାଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ୮୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୨୦ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାରା ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଭାରତକୁ ଲକ୍ ଡାଉନ୍ କରିଦିଆଯାଇଛି ।