ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ସଙ୍କଟ । ଏହାକୁ ମୁକାବିଲା କରିବା ପାଇଁ ଲାଗିପଡିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଇତିମଧ୍ୟରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । କାରଣ ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ଏକମାତ୍ର ସୁରକ୍ଷିତ ସ୍ଥାନ ହେଉଛି ଘର । କିନ୍ତୁ ଯଦି ଆପଣ ଜରୁରୀ କାମ ପାଇଁ ଘରୁ ବାହାରକୁ ବାହାରୁଛନ୍ତି ତେବେ ମାସ୍କ ପିନ୍ଧିବା ନିହାତି ଜରୁରୀ । ଏହି ପ୍ରକ୍ରିୟା ରାଜ୍ୟରେ ଆସନ୍ତାକାଲି ମାନେ ଏପ୍ରିଲ ୯ ତାରିଖ ସକାଳ ୭ଟାରୁ ଲାଗୁ ହୋଇଯିବ । ଏହି ନିୟମକୁ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତାକାଲିଠାରୁ ଘରୁ ପାଦ କାଢିଲା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏଥିପାଇଁ କୌଣସି ଡାକ୍ତରଖାନା ମାସ୍କ ବା ମେଡିସନ୍ ଷ୍ଟୋରର ମାସ୍କ ଆବଶ୍ୟକ ନାହିଁ । ଆପଣ ଘର ତିଆରି ମାସ୍କ ବି ବ୍ୟବହାର କରିପାରିବେ । ନଚେତ୍ ଆପଣ ମୁହଁକୁ ଗୋଢାଇବା ପାଇଁ ରୁମାଲ, ଗାମୁଛା, ସ୍କାର୍ଫ ଏବଂ ଓଢଣୀକୁ ମୁହଁରେ ବାନ୍ଧି ବାହାରକୁ ଯାଇପାରିବେ । ଏହି ନିୟମକୁ କଡାକଡି କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏହାବ୍ୟତିତ ଯଦି କୌଣସି ବ୍ୟକ୍ତି ଏହି ନିୟମ ନମାନ୍ତି ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଯେକୌଣସି କାର୍ଯ୍ୟ ପାଇଁ ଘରୁ ବାହାରକୁ ଆସୁଥିବା ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ପାଟି ଏବଂ ନାକକୁ ଘୋଡାଇ ମାସ୍କ/ରୁମାଲ ପରିଧାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। #ଘରେରୁହନ୍ତୁ #OdishaFightsCorona
— H & FW Dept Odisha (@HFWOdisha) April 7, 2020