ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ସାରା ବିଶ୍ୱ କରୋନା ଭାଇରସର ଲୁହର ସୁଅରେ ଭାସି ଯାଉଛନ୍ତି । ପରିସ୍ଥିତି ଏମିତି ହୋଇଯାଇଛି ଯେ ନାଁ କହି ହଉଛି ନାଁ ସହି ହେଉଛି । ସାରା ବିଶ୍ୱର ଅଧାରୁ ଅଧିକ ଦେଶ ଏବେ କରୋନା ପାଇଁ ଅଚଳ । ଭାରତରେ ମଧ୍ୟ ସମାନ ଅବସ୍ଥା ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହି ଭିତରେ ଏବେ ଗରିବ ଦିନ ମଜୁରିଆ ଓ ଉଠାବ୍ୟବସାୟୀ କଳାକାର ଆଦି ଅର୍ଥ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଲକଡାଉନର ଅବଧି ଆସନ୍ତା ୧୪ ତାରିଖରେ ସରିବାକୁ ଥିବା ବେଳେ ଏବେ ରାଜ୍ୟ ସରକାର ଏହି ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଜ୍ୟରେ ଲକ ଡାଉନ ଅବଧିକୁ ବଳବତ୍ତର ରଖିବେ ବୋଲି ଘୋଷଣା କରିଛନ୍ତି ।
ତେବେ ଗତକାଲି ରାଜ୍ୟ ସେରକାରଙ୍କ ଏହି ଘୋଷଣା ପରେ ଏବେ ଦିନ ମଜୁରିଆ, ଉଠାଦୋକାନୀ ଓ ବିଭିନ୍ନ ଛୋଟବଡ ଘରୋଇ ସସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡି ଗଲାଣି । ଗତମାସ ଯାହା ଯେମିତ ଚଳିଗଲା ହେଲେ ଏହି ଚଳିତ ମାସ କେମିତି କଟିବ ତାକୁ ନେଇ ଏବେ ଚିନ୍ତାରେ ସେମାନେ । ତେବେ ଏନେଇ ଏଟିଆର ନ୍ୟୁଜ ପକ୍ଷରୁ କିଛି ବ୍ୟବସାୟୀ , କଳାକାର ଓ ଦିନ ମଜୁରିଆଙ୍କ ସହିତ ଆଲୋଚନା କରିଥିଲୁ । ତେବେ ଏହି ଆଲୋଚନାରେ ସମସ୍ତଙ୍କ ମୁହଁରୁ ସେଇ ଗୋଟିଏ କଥା ଶୁଣିବାକୁ ମିଳିଲା ଜୀବନ ପାଇଁ ସରକାରଙ୍କ କଡା ପଦକ୍ଷେପକୁ ସ୍ୱାଗତ କରାଯାଉଛି । ହେଲେ ଏପଟେ ଭୋକ ପେଟକୁ ଲାତ ମାରୁଛି । ସରକାରଙ୍କ ପକ୍ଷରୁ ଯାହାବି ସୁବିଧା ସୁଯୋଗ ଦିଆ ଯାଉଛି ତାହା କେତେ ଦିନକୁ ? ତାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ କଲେ । ଏମିତି ବସି ଖ।।ଇଲେ ନଇ ବାଲି ସରେ ।
ତେବେ ଏନେଇ କିଛି ଉଠାବ୍ୟବସାୟୀଙ୍କ କହିବା କଥା ବେପାର ପୁରା ଠପ । ୧୫ ଦିନ ହେଲା ହାତ ବାନ୍ଧି ଘରେ ବସିଛୁ । ଯାହାଥିଲା ତାହା ସରିବାକୁ ବସିଲାଣି ଆଗାମୀ ଦିନ ଗୁଡାକ କେମିତି ଯେ କଟିବ ତାହା ଏବେ ସନ୍ଦେହରେ । ସରକାର ଯଦି ପ୍ରକୃତ ଉଠାବ୍ୟବସାୟୀଙ୍କୁ ଚିହ୍ନଟ କରି କିଛି ସହଯୋଗ କନ୍ତେ ହୁଏତ ଆମେ ବଞ୍ଚି ଯାଆନ୍ତୁ । ସେହିଭଳି ଆଉ କିଛି ବ୍ୟବସାୟୀ କହିଛନ୍ତି ଆମେ ଭୁବନେଶ୍ୱରର ସ୍ଥାୟୀ ବାସିନ୍ଦା ନୋହୂଁ । ବିଭିନ୍ନ ଜିଲ୍ଲାରୁ ଆସି ଆମେ ଏଠି ଛୋଟମୋଟ ବ୍ୟବସାୟ କରି ପେଟ ପୋଶୁଥିଲୁ । ହଠାତ ଲକ ଡାଉନ ହୋଇଯିବାରୁ ଯିଏ ଯେଉଁଠି ଥିଲୁ ସେଇଠି ରହି ଯାଇଛୁ । ନାଁ ଘରକୁ ଯାଇ ପାରୁଛୁ ନାଁ କିଛି କରିପାରୁଛୁ । ଦେଖାଯାଉ ଆଉ କେତେଦିନ ଏମିତି କଟୁଛି ।
ସେହିଭଳି କିଛି ଅପେରା ଓ ବୁଲିବୁଲି କଳା ପଦର୍ଶନ କରୁଥିବା କଳାକାରଙ୍କ ସହିତ ଆଲୋଚନା କରିଥିଲୁ । ସେମାନଙ୍କ କହିବା କଥା ଯେହେତୁ ଏବେ ପୁରା ଦେଶ ବନ୍ଦ ରହିଛି ଆମେ ଘରେ ଭାଗ୍ୟକୁ ଆଦରି ବସିଛୁ । କଳାକାରଙ୍କ ଜୀବନ ତ ଆପଣ ଜାଣିଥିବେ ଅଧିକ କହିବୁନି, ଉପରୁ ଚିକ୍କଣ ଭିତରେ ଶୋଲ । ସରକାର କଳାକାରଙ୍କ ପାଇଁ ଘୋଷଣା କରିଥିବା ସହଯୋଗ ଆମ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ନାହିଁ । କାରଣ ଆମେ ଜାଣିଛୁ ଆମ ହିସାବ ବି ସରକାରଙ୍କ ପାଖରେ ସଠିକ ନଥିବ । ପରିସ୍ଥିତି ଯଦି ରଜ ଭିତରେ ଠିକ ନହେବ ରୋଗରୁ ବଞ୍ଚିଯିବୁ ହେଲେ ଭୋକରେ ମରିଯିବୁ ।