ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ସଂକ୍ରମଣ ସହିତ ଯୁଦ୍ଧ କରୁଛି । ଭାରତ ମଧ୍ୟ କରୋନା କବଳରେ ଏବେ କବଳିତ । ପ୍ରତିଦିନ ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ୧୯ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି । ତେବେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନରେ କଡକଣା ଅଧିକ କଡାକଡି କରିବାକୁ ପ୍ରଧାନମନ୍ତ୍ରୀ ସୂଚନା ମଧ୍ୟ ଦେଇଥିଲେ । ଯେଉଁମାନେ ଅମାନିଆ ହୋଇ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଥିଲେ ।
ତେବେ ଖୋର୍ଦ୍ଧା ଜିଲ୍ଲାରେ ଏହାକୁ ଏବେ କଡାକଡି ଭାବେ ପାଳନ କରାଯାଉଛି । ଏନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ଏଥିରେ କୁହାଯାଇଛି ଘରୁ ବିନା କାରଣରେ ଗାଡି କାଢିଲେ ଦବାକୁ ପଡିବ ଜରିମାନା । ଏପିଡେମିକ ଡିଜିଜ ଆକ୍ଟ ୧୮୯୭ ଏବଂ ଓଡିଶା କୋଭିଡ୍-୧୯ ନିୟାମକ ଆଇନ ୨୦୨୦ ଅନୁଯାୟୀ ଜରିମାନା ଆଦାୟ କରିବା ନେଇ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ରାଜଧାନୀରେ ମଧ୍ୟ ବିନା କାରଣରେ ଘରୁ କାଢିଲେ ଗଣିବାକୁ ପଡୁଛି ଜରିମାନା ।
ବିଭିନ୍ନ ଛକରେ ପୋଲିସ ଅମାନିଆଙ୍କୁ ବାଟକୁ ଆଣିବା ପାଇଁ ଜରିମାନା ଆଦାୟ କରୁଥିବା ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ହଟସ୍ପଟ ଜିଲ୍ଲା ତାଲିକାରେ ଖୋର୍ଦ୍ଧା ଜିଲ୍ଲା ରହିଛି । ସାରା ରାଜ୍ୟରେ ୬୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ କେବଳ ୪୬ ଜଣ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲାର ।