ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ଗତ ଦୁଇ ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ନାହିଁ । ସିଧା କହିବାକୁ ଗଲେ କୌଣସି ବି ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିନାହିଁ । ଯାହା ରାଜ୍ୟବାସୀଙ୍କୁ ଏକ ପ୍ରକାରର ଆଶ୍ୱସ୍ତି ଦେଇଛି । ବୁଧବାର ଦିନ କରାଯାଇଥିବା ସର୍ବାଧିକ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଗୁରୁବାର ବି ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି । ଗତକାଲି ମାନେ ଗୁରୁବାର ୮୩୪ ଟି ନମୁନା ପରୀକ୍ଷା କରାଯାଇଥିଲା । ସେହି ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ ମୁତାବକ, ରାଜ୍ୟରେ ଗତକାଲି ପର୍ଯ୍ୟନ୍ତ ମୋଟ ୭୫୭୭ ଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୭୫୧୭ ଟି ରିପୋର୍ଟ ନେଗେଟିଭ୍ । ଅନ୍ୟପଟେ ୬୦ ପଜିଟିଭ୍ କେସ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ଏବଂ ଆଉ ୪୦ ଟି କେସ୍ ସକ୍ରିୟ ରହିଛି । ସେମାନଙ୍କୁ ବିଭିନ୍ନ କୋଭିଡ ୧୯ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସୀମିତ ରହିଛି ।