ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଆକାଶରୁ ଖସିଛି ମୃତ୍ୟୁ । ସିଧା ପଡିଛି ଜଣେ ଶ୍ରମିକଙ୍କ ଉପରେ । ବମିଖାଲ ଓଭର ବ୍ରିଜ ପୁନର୍ବାର ଭୁଷୁଡିବା ପରେ ଅଧିକ କଣ ବା କୁହାଯାଇପାରେ । ୮ମାସ ତଳର ଘା’କୁ ପୁଣିଥରେ ଉଖାରି ଦେଇଛି ଏହି ଘଟଣା । ଯାହା ଠିକା କମ୍ପାନୀ ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା ଓ ଦୁର୍ବଳତାକୁ ପଦାରେ ପକାଇ ଦେଇଛି ।
ମିଳିଥିବା ସୂଚନା ଅନୁସାରେ, ଓଭରବ୍ରିଜ କାମ ଚାଲିଥିବା ବେଳେ ରେଲିଂ ଭୁଶୁଡି ଯିବା ସହ ଏହାତଳେ ଚାପି ହୋଇଯାଇଥିଲେ ୨ ଜଣ ଶ୍ରମିକ । ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତ ଶ୍ରମିକଙ୍କ ନାମ ହେଲା ଅଜୟ ଭୂମିଚ ଓ ତାଙ୍କ ଘର ସୁନ୍ଦରଗଡ଼ର ଲାଠିକଟାରେ ବୋଲି ଜଣାପଡ଼ିଛି । ସେହିପରି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଶ୍ରମିକ ସୁନ୍ଦର ଗଡର ଆନନ୍ଦ କୁମାର ନାୟକ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ । କିନ୍ତୁ ଡାକ୍ତରଖାନାରେ ଜଣଙ୍କୁ ଡାକ୍ତର ମୃତ ଘୋଷିତ କରିଥିବା ବେଳେ ଗୁରୁତର ଆନନ୍ଦଙ୍କୁ କଟକ ସ୍ଥିତ ଏସସିବିକୁ ପଠାଇ ଦିଆଯାଇଛି । ତେବେ ଏଠାରେ କୁହାଯାଇପାରେ ୨୦୧୭ ମସିହା ସେପ୍ଟେମ୍ବର ୧୦ ତାରିଖରେ ଘଟିଯାଇଥିବା ମର୍ମନ୍ତୁଦ ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣାର ଏ ହେଉଛି ରିପିଟ୍ ଏପିସୋଡ ।
ଆଉ ଦ୍ୱିତୀୟ ଥର ପାଇଁ ଓଭର ବ୍ରିଜର କିଛି ଅଂଶ ଖସିପଡିଛି। ଲୁହା ବାଇଣ୍ଡିଙ୍ଗ ସମୟରେ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ଖବର ପାଇବା ପରେ ବହୁ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚି ହୋ ହଲ୍ଲା ଆରମ୍ଭ କରିଛନ୍ତି । ଠିକାଦାର ସଂସ୍ଥା ର ଜଣେ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣାପଡିଛି । ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପୁରୀ-କଟକ ରୋଡରେ ନିର୍ମାଣାଧୀନ ଅଛି ବମିଖାଲ ଓଭରବ୍ରିଜ । ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ନେଇ ଥିବା ଡେଡଲାଇନ ବାରମ୍ବାର ଘୁଂଚା ଯାଉଥିବା ବେଳେ, ନିମ୍ନମାନର କାମ ଆଉ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ବାରମ୍ବାର ସ୍ଥିତିକୁ ବିବାଦୀୟ କରିଛି । ଗତ ସେପ୍ଟେମ୍ବର ୧୦ ତାରିଖ ରବିବାରରେ ମଧ୍ୟ ଏମିତି ଅଜାଡି ହୋଇ ପଡିଥିଲା ଓଭରବ୍ରିଜର ସ୍ଲାବ୍ ।
ସ୍କୁଟିରେ ଝିଅକୁ ନାଚ କ୍ଲାସକୁ ଝାଡିବାକୁ ଯାଉଥିବା ବାପା ସେଇ ସ୍ଲାବ ତଳେ ଜୀବନ ଦେଇଥିଲା । ଝିଅ ସିନା ବଞ୍ଚିଗଲା ହେଲେ ବାପାକୁ ମାରିଦେଇଥିଲା ପଣ୍ଡା ଇନଫ୍ରା ବନେଇଥିବା ବମିଖାଲ ଓଭରବ୍ରିଜ । ଏନେଇ ସେତେବେଳେ ଅନେକ ତୁମ୍ବିତୁଫାନ ହୋଇଛି । କଲିକତାର ବ୍ରିଜ ଭୁଷୁଡିବା ଘଟଣାକୁ ଉଦାହରଣ ଭାବେ ନିଆଯାଇଛି। ପାନରୁ ଚୂନ ଖସି ଯାଉଥିବା ଦେଖି ଠିକା କମ୍ପାନୀ ଫେଜ ବାଇ ଫେଜରେ ପୁଲିସ ହେପାଜତକୁ ଆସିଥିଲେ । ପଣ୍ଡା ଇନଫ୍ରାର ମାଲିକ ଗିରଫ ହୋଇ ଜେଲ ଯାଇଥିବା ବେଳେ ଠିକାଦାର ସଂସ୍ଥାକୁ ବ୍ଲାକଲିଷ୍ଟେଡ ମଧ୍ୟ କରାଯାଇଥିଲା । ତେବେ ଆଜିର ଘଟଣା ପରେ ସରକାର କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।