ଯାଜପୁର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହା ଭିତରେ ଗତକାଲି ଯାଜପୁର ଜିଲ୍ଲାରେ ୬ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଦୁଇଟ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେଗୁଡିକ ହେଲା ଦଶରଥପୁର ବ୍ଲକର କଟିକଟା ଓ ମଲ୍ଲିକାପୁର । ଆଜି ସକାଳ ୮ଟାରୁ ଆସନ୍ତା ମେ’ ୧୦ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଏହି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଭାବେ କଟକଣା ଯୁକ୍ତ ରହିବ ।
ଅନ୍ୟପଟେ ପୂର୍ବରୁ ବିରଜାପୁରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ତେବେ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନ୍ ରେ କୌଣସି ଦୋକାନ ଖୋଲା ରହିବ ନାହିଁ । ସୂଚନା ଯୋଗ୍ୟ ରାଜ୍ୟରେ ମୋଟ ୧୦୩ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।