କେନ୍ଦ୍ରାପଡା(ଏଟିଆର ବ୍ୟୁରୋ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇରୁ ଆସିଛି ଦୁଇ ଛାତ୍ରୀ ଅପହରଣ ମାମଲା । ଦୁଇ ଛାତ୍ରୀଙ୍କ ଘର ବଙ୍ଗାଳିଡିଆ ଗ୍ରାମରେ । ଆଜି ସକାଳେ ଅନ୍ନପୂର୍ଣ୍ଣା ମଣ୍ଡଳ(୧୦ବର୍ଷ) ଓ ଅନିତା ବାରିକ(୮ବର୍ଷ) ସ୍କୁଲ ଯିବା ପାଇଁ ବାହାରିଥିଲେ । ଅନ୍ନପୂର୍ଣ୍ଣା ଓ ଅନିତା ଯଥାକ୍ରମେ ୫ମ ଓ ୩ୟ ଶ୍ରେଣୀର ଛାତ୍ରୀ ଅଟନ୍ତି । ସ୍କୁଲ ଯିବା ବାଟରେ ଜଣେ ଯୁବକ ତାଙ୍କୁ ସ୍କୁଲରେ ଛାଡି ଦେବ ବୋଲି କହି ନିଜ ଗାଡିରେ ବସାଇ ନେଇଥିଲା । ହେଲେ ସେମାନେ ସ୍କୁଲରେ ପହଞ୍ଚିନଥିଲେ ।
ପରିବାରଲୋକ ଖବର ପାଇବା ପରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପାଇ ନଥିଲେ । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଜଣେ ଯୁବକ ସେମାନଙ୍କୁ ଗାଡିରେ ବସାଇ ନେଉଥିବାର ସେମାନେ ଦେଖିଛନ୍ତି । ପରିବାର ଲୋକ ଭୟଭୀତ ହୋଇ ପୋଲିସରେ ଏତଲା କରିଥିଲେ । ଏତଲା ଆଧାରରେ ପୋଲିସ ଖୋଜା ଖୋଜି କରିବା ପରେ ଦୁଇ ନାବାଳିକାଙ୍କୁ ନିକଟସ୍ଥ କ୍ଷେତ୍ରପାଳ ଗାଁରୁ ଉଦ୍ଧାର କରିଥିଲା । ପୋଲିସ ସେମାନଙ୍କୁ ଉଦ୍ଧାର କରିବା ସହ ତାଙ୍କ ବାପା ମା’ଙ୍କୁ ହସ୍ତାନ୍ତର କରିଛି ଏବଂ ଉକ୍ତ ଯୁବକକୁ ପଚରା ଉଚରା ଜାରି ରଖିଛି ।