ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାରେ ନବୀନ ସବୁବେଳେ ଆଗରେ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । ପୁଣି ଏହି ସୂଚନା ଦେଇଛି କେନ୍ଦ୍ର । ବାତ୍ୟା ଫନି ଠାରୁ ଆରମ୍ଭ କରି ବଡବଡ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରି ପାରନ୍ତି ବୋଲି ଆଗରୁ ମଧ୍ୟ ପ୍ରମାଣ ରହିଛି । ଯେଉଁଥି ପାଇଁ ନବୀନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରଶଂସା କରାଯାଏ । ଏବେ ପୁଣି କରୋନା ସମୟରେ ଉପଯୁକ୍ତ ପରିଚାଳନା ପାଇଁ କେନ୍ଦ୍ରର ପ୍ରଶଂସା ସାଉଁଣ୍ଟିଛନ୍ତି । ରାଜ୍ୟରେ ଲକ ଡାଉନ ସମୟରେ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟ ସରକାର ।
ଏନେଇ କେନ୍ଦ୍ର ସରକାର ନିଜ ପୋର୍ଟାଲରେ ଉଲ୍ଲେଖ କରି କହିଛନ୍ତି ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯିଏ କି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀମାନଙ୍କୁ ୩ ମାସର ଚାଉଳ ଓ ଡାଲି ବିନାମୂଲ୍ୟରେ ଯୋଗାଇଦେବା ସହିତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ଅତିରିକ୍ତ ଚାଉଳ ବାବଦକୁ ଏକାଥରେ ୩ ମାସର ଚାଉଳ ଓ ଡାଲି ବିନାମୂଲ୍ୟରେ ଯୋଗାଇ ଦେଉଛି ।
ତେବେ ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକ ସୂଚନା ଦେଇ କହିଛନ୍ତି ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ ଓ ଯୋଗାଣକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ସଚିବ କମିଟି ପ୍ରତ୍ୟେକ ସ୍ତରରେ ଚବିଶ ଘଣ୍ଟିଆ ତଦାରଖ କରୁଛି । ଏହା ଦ୍ୱାରା ରାଜ୍ୟର ଖାଉଟିମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ଉପଲବ୍ଧ ହୋଇପାରୁଛି।
ଆଜି ସୁଦ୍ଧା ରାଜ୍ୟର ମୋଟ ୮୮ଲକ୍ଷ ୭୧ ହଜାର ୬୧୪ଜଣ କାର୍ଡଧାରୀଙ୍କୁ ଆଗୁଆ ତିନି ମାସିକ ରାସନ ଯୋଗାଇ ଦିଆଯାଇଛି ଯାହା ମୋଟ ରାସନକାର୍ଡଧାରୀଙ୍କ ସଂଖ୍ୟାର ୯୪.୭ ପ୍ରତିଶତ ।