ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା କବଳରେ ସାରା ଦେଶ । ସେଥିପାଇଁ ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଦେଶବ୍ୟାପି ଲକ୍ ଡାଉନ୍ ଜାରି ରହିଛି । ଇତିମଧ୍ୟରେ ଓଡିଶାରୁ ବାହାର ରାଜ୍ୟକୁ ବିଭିନ୍ନ କାମ ପାଇଁ ଯାଇଥିବା ଅନେକ ଶ୍ରମିକ ଫସି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପମାନ ଗ୍ରହଣ କରାଯାଉଛି । ସେହିପରି ଏବେ ସରକାରଙ୍କ ପକ୍ଷରୁ ୩୦ଟି ଅନଲାଇନ୍ ସହାୟତା କେନ୍ଦ୍ର ସ୍ଥାପନା କରାଯାଇଛି । ଏହି ଅନଲାଇନ୍ ସହାୟତା ପାଇଁ ଶ୍ରମିକମାନଙ୍କ ସହିତ ବରିଷ୍ଠ ଅଧିକାରୀ ସମେତ ନୋଡାଲ ଅଧିକାରୀମାନେ ଯୋଗଯୋଗରେ ନିୟୋଜିତ ରହିଛନ୍ତି ।
ଲକ୍ ଡାଉନ୍ ଯୋଗୁଁ ଅନେକ ପ୍ରବାସୀ ଓଡିଆ ପ୍ରଭାବିତ ହୋଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗର ମୁଖ୍ୟ ସଚିବ ଆଇଏଏସ୍ ସଞ୍ଜିବ ଚୋପ୍ରା କହିଛନ୍ତି, ବାହାରେ ଫସି ରହିଥିବା ଓଡିଆ ଶ୍ରମିକ ମାନଙ୍କ ପାଇଁ ହେଲ୍ପଲାଇନ୍ ଏବଂ ପୋର୍ଟାଲ ଖୋଲାଯାଇଛି । ଏହାଦ୍ୱାରା ଶ୍ରମିକମାନଙ୍କୁ ମାର୍ଚ୍ଚ ୨୬ ଠାରୁ ରିଲିଫ୍ ସହାୟତା ଯୋଗାଇ ଦିଆଯାଉଛି । ଏହାସହିତ ସେମାନଙ୍କ ସୁବିଧା ଓ ଅସୁବିଧା ବିଷୟରେ ହେଲ୍ପଲାଇନ୍ ଜରିଆରେ ପଚରା ଯାଉଛି । ବର୍ତ୍ତମାନ ସଙ୍କଟ ସମୟରେ ଓଡିଆ ଶ୍ରମିକ ମାନଙ୍କ ପାଇଁ ହେଲ୍ପଲାଇନ୍ ବେଶ ସହାୟକ ହେଉଛି ।
ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି କରିଛନ୍ତି, ଓଡିଶାରୁ କାମ ପାଇଁ ଯାଇଥିବା ଶ୍ରମିକମାନେ ବିଭିନ୍ନ ରାଜ୍ୟରେ ଅଟକି ରହିଛନ୍ତି । ମହାମାରୀ କରୋନାର ଲକ୍ ଡାଉନ୍ ପାଇଁ ସେମାନେ ଫସି ରହିଛନ୍ତି । ସେମାନଙ୍କ ସହାୟତା ପାଇଁ ଆଇଏଏସ, ଆଇପିଏସ ଏବଂ ନୋଡାଏ ଅଫିସରମାନେ କାର୍ଯ୍ୟ ଜାରି ରଖିଛନ୍ତି ।