ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦକ୍ଷିଣ ପଶ୍ଚିମବଙ୍ଗପୋସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ବାତ୍ୟାର ରୂପନେବ । ଆଜି ସଂନ୍ଧ୍ୟା ସୁଦ୍ଧା ଏହି ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେବ । ମାତ୍ର ଆସୁଥିବା ଏହି ବାତ୍ୟା ଆମ୍ଫାନ କେଉଁଠାରେ ଲ୍ୟାଣ୍ଡଫଲ କରିବ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଏହା ବାତ୍ୟାର ରୂପନେବା ପରେ ଓଡିଶା, ପଶ୍ଚିମବଙ୍ଗ କିମ୍ବା ବାଲାଂଦେଶ ମୁହାଁ ହୋଇପାରେ । ତେବେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୮ ତାରିଖ ବେଳକୁ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ । ୧୯ ତାରିଖ ବେଳକୁ ଓଡିଶାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ଆସନ୍ତା ୧୯ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।
ତେବେ ଆସୁଥିବା ଏହି ସମ୍ଭାବ୍ୟ ବାତ୍ୟାରେ ଉପକପୂଳ ଓଡିଶାର ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳ ଓଡିଶାର ୧୨ ଟି ଜିଲ୍ଲା ଏବଂ ଉତ୍ତର ଉପକୂଳର ୪ ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖିବା ପାଇଁ ଏସଆରସି ପକ୍ଷରୁ ନିର୍ଦେଶ ହୋଇଛି । ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସବୁ ବିଭାଗକୁ ସର୍ତକ ରହିବାକୁ ବି ପରାମର୍ଶ ଦିଆଯାଇଛି । ଓଡ୍ରାଫ ଓ ଏନ୍ଡିଆରଫକୁ ପ୍ରସ୍ତୁତ ରହିବାକୁ ମଧ୍ୟ ସରକାର ନିର୍ଦେଶ ଦେଇଛନ୍ତି।