ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଆଜିଠୁ ଦେଶରେ ଲାଗୁ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ । ଇତିମଧ୍ୟରେ ଦେଶକୁ ଏବେ ୩ଟି ବଦଳରେ ୫ଟି ଜୋନ୍ ରେ ବାଣ୍ଟିବା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ରସରକାର । ସେହିଅନୁଯାୟୀ ଏବେ ଦେଶରେ ରେଡ୍, ଗ୍ରୀନ୍ ଏବଂ ଅରେଞ୍ଜ ଜୋନ୍ ବ୍ୟତିତ ବଫର ଜୋନ୍ ଏବଂ କଣ୍ଟେନମେଣ୍ଟ ଜୋନ୍ ସାମିଲ ହୋଇଛି । ମାତ୍ର ଏହି ଦୁଇଟି ନୂତନ ଜୋନ୍ ର ନିଷ୍ପତି ରାଜ୍ୟ ସରକାର କରିବେ ଏନେଇ ଗାଇଡ ଲାଇନ୍ ଜାରି ହେବା ବାକି ରହିଛି ।
ବଫର ଏବଂ କଣ୍ଟେନମେଣ୍ଟ ଜୋନ୍
ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ପଠାଯାଇଥିବା ଚିଠିରେ ସ୍ୱାସ୍ଥ୍ୟ ସଚିବ ପ୍ରିତି ସୂଦନ କହିଛନ୍ତି କି ରାଜ୍ୟ ତାର ଜିଲ୍ଲା ବା ନିଗମ ଅଞ୍ଚଳକୁ ହଟସ୍ପଟ, ରେଡ , ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ରେ ଶ୍ରେଣୀବଦ୍ଧ କରି ପାରିବ । ଏହାର ଅର୍ଥ ତିନୋଟି ଜୋନ୍ ନିଷ୍ପତି ରାଜ୍ୟ ସରକାର ନେବା ବେଳେ କଣ୍ଟେନମେଣ୍ଟ ଏବଂ ବଫର ଜୋନ ର ନିଷ୍ପତି ଜିଲ୍ଲା ପ୍ରଶାସନ କରିବେ । କଣ୍ଟେନମେଣ୍ଟ ଏବଂ ବଫର ଜୋନରେ ଗୃହମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଦିଶା ନିର୍ଦ୍ଦେଶ ପାଳନ କରାଯିବ । ବଫର ଜୋନ୍ କୁ ନେଇ ଗୃହମନ୍ତ୍ରାଳୟର ଗାଇଡଲାଇନ୍ ଆସିବା ବାକି ରହିଛି କିନ୍ତୁ କଣ୍ଟେନମେଣ୍ଟ ଜୋନ୍ ରେ କେବଳ ଜରୁରୀ ସେବା ଯୋଗାଇ ଦିଆଯିବ । ଏହି ଜୋନ୍ ରେ ଯାତାୟତ ଉପରେ କଟକଣା ରହିଛି ।ଏହାସହିତ ଏହି ଜୋନ୍ ରେ କଣ୍ଟାକ୍ଟ ଟ୍ରେସିଂ ଏବଂ ଘରେ ଘରେ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।
ସୂଚନାଯୋଗ୍ୟ, ଲକ୍ ଡାଉନ୍ ୪ କୁ ମେ ୩୧ ଯାଏଁ ବୃଦ୍ଧି କରାଯାଇଛି । ଏଥିରେ କିଛିଟା କୋହଳ ମିଳିଥିବା ବେଳେ ମେଟ୍ରୋ ଏବଂ ବିମାନ ଚଳାଚଳ ପାଇଁ ଅନୁମତି ମିଳିନାହିଁ । ମାତ୍ର ଘରୋଇ ମେଡିକାଲ ସେବା, ଘରୋଇ ଏୟାର ଆମ୍ବୁଲାନ୍ସ ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ଉଡାଣ ଅନୁମତି ରହିଛି ।