ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ଦୃଷ୍ଟିରେ ରଖି ବିଦ୍ୟୁତ ବିଭାଗ ସମ୍ପୂର୍ଣ୍ଣ ସଜାଗ । ବାତ୍ୟା ପରେ ପୁନରୁଦ୍ଧାର ଏବଂ ନିରବଚ୍ଛିନ ବିଦ୍ୟୁତ ଯୋଗଣ ଲାଗି ବିଦ୍ୟୁତ ବିଭାଗ ପ୍ରସ୍ତୁତି କରିଛି । ଏହାସହିତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛି । ଏଥିପାଇଁ ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆ ଯାଇଛି । ସେହିପରି ବିଭିନ୍ନ ଜିଲ୍ଲାରେ ଆଇଏଏସ ଏବଂ ଆଇପିଏସ୍ ଅଫିସର ମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ଏହାସହିତ ବାତ୍ୟାକୁ ମୁକାବିଲା କରିବା ଲାଗି ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏହି ସମୟରେ କେହି ଛୁଟିରେ ରହି ପାରିବେ ନାହିଁ । ଯଦି ବି କୌଣସି ଅଧିକାରୀ ପୂର୍ବରୁ ଛୁଟିରେ ଅଛନ୍ତି ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସମୟରେ ପବନ ବେଗ ବଢିଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ ପାଇଁ ଟିମ୍ ପ୍ରସ୍ତୁତ ହୋଇ ଅଛନ୍ତି । ଏହାସହିତ ବାତ୍ୟା ପରେ ରାସ୍ତାରେ ପଡିଥିବା ଗଛଡାଳ କାଟିବା ଲାଗି ସରଞ୍ଜାମ ସମେତ ଅନ୍ୟାନ୍ୟ କାମ ପାଇଁ ବିଭିନ୍ନ ଡିଭିଜନରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।