ଭୁବନେଶ୍ୱର (ଏଟିଆର ବ୍ୟୁରେ): ରୋଡ ଟ୍ୟାକ୍ସକୁ ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପକ୍ଷରୁ ଯାତ୍ରୀବାହି ଗାଡି ଗୁଡିକର ତିନି ମାସର ରୋଡ୍ ଟ୍ୟାକ୍ସ ଛାଡ କରାଯାଇଛି । ସେହିଅନୁଯାୟୀ ଚଳିତ ବର୍ଷର ଏପ୍ରିଲ , ମେ ଏବଂ ଜୁନ୍ ମାସର ରୋଡ ଟ୍ୟାକ୍ସ ଛାଡ କରିବା ଲାଗି ଘୋଷଣା ହୋଇଛି । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟରେ ଚାଲୁଥିବା ଯାତ୍ରୀବାହିଯାନ ଗୁଡିକର ରୋଡ ଟ୍ୟାକ୍ସ ଛାଡ କରିବା ଲାଗି ସରକାରଙ୍କ ପାଖରେ ଦାବି କରିଥିଲେ ଗାଡି ମାଲିକ । ଏମିତିକି ଘରୋଇ ବସ୍ ମାଲିକ ସଂଘ ରୋଡ ଟ୍ୟାକ୍ସ ଛାଡ ସମେତ ଋଣ କିସ୍ତି ଛାଡ ଏବଂ ଇଂସୁରାନ୍ସ ଦେୟ ଅବଧି ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ । କିନ୍ତୁ ରାଜ୍ୟରେ ଘରୋଇ ବସ୍ ଚାଲିବ ବୋଲି ସରକାର ଅନୁମତି ଦେଇଥିଲେ ସୁଧା ରାଜ୍ୟରେ ପ୍ରଥମେ ଘରୋଇ ବସ୍ ଗଡିନଥିଲା । କାରଣ ଗାଡି ମାଲିକ ସଂଘର ଦାବି ବିଷୟରେ ସରକାର ଆଲୋଚନା କରିନଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବସ୍ ମାଲିକ ସଂଘ ସହ ସେମାନଙ୍କ ଦାବିକୁ ନେଇ ସରକାର ଆଲୋଚନା କରିବା ପରେ ରାଜ୍ୟରେ କିଛି ବସ୍ ଗଡିବା ଆରମ୍ଭ ହୋଇଥିଲା । ସେମାନଙ୍କ ଦାବି ମୁତାବକ ତିନି ମାସର ରୋଡ ଟ୍ୟାକ୍ସ ଛାଡ କରିଛନ୍ତି ସରକାର ।