ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଥାନାକୁ ଯିଏ ଆସୁଛି ତାକୁ ଉଚିତ ବ୍ୟବହାର କର । ସମ୍ମାନ ଦିଅ । ଏକଥା ଖୋଦ ପୁଲିସ ଡିଜି କହୁଥିବା ବେଳେ ଏହାର ବ୍ୟତିକ୍ରମ କିନ୍ତୁ ଦେଖିବାକୁ ମିଳୁଛି ବ୍ରହ୍ମପୁର ବଡ଼ବଜାର ଥାନାରେ । ସାଧାରଣ ଲୋକଙ୍କ କଥା ଦୂରେ ଥାଉ ଏଠି ପୁଲିସ ବି ପୁଲିସକୁ ଉଚିତ ସମ୍ମାନ ଦେଉନାହିଁ । କଥାଟା ଅବିଶ୍ୱାସ ଲାଗୁଥିଲେ ବି ଏକଦମ ସତ । ଥାନା ଅଧିକାରୀ ଏବେ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । ପୂର୍ବରୁ ଜଣେ ଥାନା ଅଧିକାରୀଙ୍କୁ ରେପ କେସର ଧମକ ପରେ ଏବେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଛି ।
ଜନୈକ ଏସଡିପିଓଙ୍କୁ ବି ଆଇଆଇସି ବେଖାତିର କରି ସମସ୍ତଙ୍କ ଆଗରେ ମଜାକ ଉଡାଉଛନ୍ତି । ଆବୁ ସାଲେମ କହି ତାଙ୍କୁ ଟିଟକାରି ମାରୁଛନ୍ତି । ଜନୈକ ଏସଡିପିଓଙ୍କ ମୁଣ୍ଡରେ ଆବୁ ଥିବାରୁ ତାଙ୍କୁ ଥାନା ଅଧିକାରୀ ଏଭଳି କହୁଥିବା ଜଣାପଡିଛି । ଏ କଥା ଆମେ ନୁହେଁ ବରଂ କେତେକ ପୁଲିସ କର୍ମଚାରୀ ନିଜ ନାମକୁ ଗୋପନ ରଖି ପ୍ରକାଶ କରିିଛନ୍ତି । ଏହି ଘଟଣା ସମ୍ପର୍କରେ କେତେ ସତ ରହିଛି ସେନେଇ ଆମେ ସମ୍ପୃକ୍ତ ଏସଡିପିଓଙ୍କୁ ଯୋଗାଯୋଗ କରିଥିଲୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ସମ୍ପୃକ୍ତ ଏସଡିପିଓ ପରୋକ୍ଷରେ ଆମ କଥାରେ ମଧ୍ୟ ମୁଣ୍ଡ ଟୁଙ୍ଗାରି ସମର୍ଥନ ଜଣାଇଛନ୍ତି । ସେ ଏହାମଧ୍ୟ ଜଣାଇଛନ୍ତି ତଳିଆ କର୍ମଚାରୀଙ୍କୁ ତ’ ପୋକ ମାଛି ଭଳି ବ୍ୟବହାର କରୁଛନ୍ତି ଆଇଆଇସି । ଏଠି ପ୍ରଶ୍ନ ଜଣେ ଉପରିସ୍ଥ ଅଧିକାରୀଙ୍କୁ ଏଭଳି ବ୍ୟବହାର କରୁଥିବା ଆଇଆଇସି କାହା ତାକତରେ ଏତେ ଡେଉଁଛନ୍ତି? ଶୁଣିବାକୁ ମିଳୁଛି ସର୍ବପୂରାତନ(୨୦୧୩) କହିବୁଲୁଥିବା ଏହି ଆଇଆଇସିଙ୍କ ଉପରେ ରହିଛି ଜଣେ ବରିଷ୍ଠ ଅଧିକାରୀଙ୍କ ହାତ । ଖାସ ଏଥିପାଇଁ ବାବୁ ଗାଦି ଛାଡୁ ଛାଡୁ ଅଳ୍ପକେ ଅଟକି ଗଲେ ।
ଜାଣିଲେ ଚକିତ ହେବେ ଥରୁଟେ ଅପରାଧୀଙ୍କୁ ସାବାଡ କରିନଥିବା ଓ ନକ୍ସଲ ପାଖରୁ ଲାଙ୍ଗୁଡ ଯାକି ପଳାଇଆସିଥିବା ଏହି ଅଧିକାରୀଙ୍କ ପ୍ରତି କିନ୍ତୁ ରହିଛି ବଡ଼ବଡ଼ିଆଙ୍କ ଅହେତୁକ ଅନୁକମ୍ପା । ରବିବାର ବାବୁଙ୍କ ବଦଳି ଅର୍ଡରକୁ ପୁଲିସ ବିଭାଗ କ୍ୟାନସଲ କରିବା ଘଟଣା ଏହାର ସବୁଠୁ ବଡ଼ ପ୍ରମାଣ । ସୂଚନାଥାଉକି, ବଡ଼ବଜାର ଅଞ୍ଚଳରେ ଯାବତୀୟ ବେଆଇନ ଧନ୍ଦା ସମ୍ପର୍କରେ ଖୋଳତାଡ କରି ଏଟିଆର ଖବର ପ୍ରକାଶ କରିବା ପରେ ଏହା ମଧ୍ୟ ସୂଚାଇଥିଲା ଥାନା ଅଧିକାରୀଙ୍କ ଚୂପ ରହିବା ଘଟଣା । କେବଳ ଏତିକି ନୁହେଁ ଡିଜିଙ୍କ ଅର୍ଡରକୁ ବି ଖାତିର ନକରି ଗାଦି ମାଡିବା ଘଟଣା ସାମ୍ନାକୁ ଆଣିଥିଲା ଏଟିଆର । ଯଦିଓ ଏହାପରେ ପୁଣି ଆଉ ଏକ ଚିଠି ପୁଲିସ ବିଭାଗ ଜାରି କରିଥିଲା କିନ୍ତୁ ଥାନା ଅଧିକାରୀଙ୍କ ଏତେ କାଢ଼ ଯେ ତାକୁ ମଧ୍ୟ ଚପାଇ ଦେଲେ । ରାତାରାତ ଏମିତିକି ରବିବାର ରାତିରେ ଅର୍ଡର କ୍ୟାନସଲ ହୋଇଗଲା । ବାସ ବାବୁଙ୍କ ତାକତ ଏହାପରେ ବଢ଼ିଯାଇଥିବା ଶୁଣିବାକୁ ମିଳୁଛି ।