ପୁରୀ (ଏଟିଆର ବ୍ୟୁରୋ): ସୁବାସିତ ଜଳରେ ସ୍ନାନ କରି ଗତକାଲିଠୁ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଶ୍ରୀଜିଉ । ୧୫ ଦିନ କାଳ ଅଣସର ଘରେ ରହିବେ ମଣିମା । ଏହି ୧୫ ଦିନ ଯାଏଁ ଶ୍ରୀଜିଉ ଜ୍ୱରରେ ପଡିବେ । ଏହି ସମୟରେ ତାଙ୍କୁ କୌଣସି ଭକ୍ତ ଦର୍ଶନ କରି ପାରିବେ ନାହିଁ । ସେଥିଲାଗି ବ୍ରହ୍ମଗିରି ସ୍ଥିତି ଅଲରାନାଥ ଠାକୁର ଏହି ସମୟରେ ପୂଜା ପାଇବେ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଅଲାରନାଥ ମନ୍ଦିରରେ ଠାକୁରଙ୍କ ଅଣସର ଦର୍ଶନ କରି ପାରିବେ ନାହିଁ କୌଣସି ଭକ୍ତ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଯେପରି ମନ୍ଦିର ପରିସରକୁ କୌଣସି ଭକ୍ତ ନଯାଇ ପାରନ୍ତି ସେନେଇ ମନ୍ଦିର ଚାରିପାଖ ଲୁହା ବ୍ୟାରେକେଡରେ ସିଲ କରାଯାଇଛି । ସେହିଅନୁଯାୟୀ ଶ୍ରୀମହାଲକ୍ଷ୍ମୀ ରାସ୍ତା, ସିଂହଦ୍ୱାର ଆନନ୍ଦବଜାର, ଚନ୍ଦନ ଚକଡା ବାଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଏହାସହିତ ମନ୍ଦିର ଭିତରେ ଓ ବାହାରେ ବିଭିନ୍ନ ସ୍ଥାନରେ ସିସି ଟିଭି ଲଗା ଯାଇଛି । ଯାହାଫଳରେ ସବୁ କିଛି ନଜର ରଖାଯାଇ ପାରିବ । ଏହାବ୍ୟତିତ ମନ୍ଦିର ପରିସର ଏବଂ ବାହାରେ ୧୪୪ ଧାରା ଲାଗୁ କରାଯାଇଛି । ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏନେଇ ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ଡା ସୂଚନା ଦେଇଛନ୍ତି । ସେହିପରି ଠାକୁରଙ୍କ ନୀତିକାନ୍ତି ପାଇଁ ୧୧ ଜଣ ସେବାୟତଙ୍କୁ ନିଯୁକ୍ତି କରାଯାଇଛି ।