ଖୋର୍ଦ୍ଧ(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମହାରମାରୀ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଗତକିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଖୋର୍ଦ୍ଧା ଜିଲ୍ଲାରେ ସକାଳ ୭ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଖୋଲାରହିବ ଦୋକାନ । ଦିନ ୨ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ପୂରା ସଟଡାଉନ ଘୋଷଣା କରାଯାଇଛି । ତେବେ ଏହି ସଟ୍ଡାଉନ୍ ସମୟରେ କେତେକ ଜରୁରୀ ସାମଗ୍ରୀ ଦୋକାନ ଖୋଲାରହିବ ।
ଯେପରି ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପ ଖୋଲାରହିବ। ଏହାକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଜୁନ୍ ୩୦ ଯାଏଁ ବଳବତ୍ତର ଜାରି ରହିବ ସମସ୍ତ କଟକଣା । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ଏହି କଟକଣା ଲାଗୁ ହୋଇଥିବା ବେଳେ ଭୁବନେଶ୍ବର ମହାନଗର ନିଗମ ପାଇଁ ଲାଗୁ ହେବନାହିଁ ନିୟମ । ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁଖୋର୍ଦ୍ଦା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୬ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ଏବଂ ୧୦୪ଜଣ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।