ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ୮ଟି ରାଜ୍ୟରେ ରାଜ୍ୟସଭାର ୧୯ ଟି ସିଟ୍ ପାଇଁ ଆଜି ନିର୍ବାଚନ । ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି ।
ମହାମାରୀ କରୋନା ଯୋଗୁଁ ୧୮ ସିଟ୍ ରେ ନିର୍ବାଚନ ସ୍ଥଗିତ କରି ଦିଆଯାଇଥିଲା । ପରେ ନିର୍ବାଚନ ଆୟୋଗ ପକ୍ଷରୁ କର୍ଣ୍ଣାଟକର ୪ ସିଟ୍ ଏବଂ ମିଜୋରାମ ତଥା ଅରୁଣାଚଳ ପ୍ରଦେଶରୁ ଗୋଟେ ସିଟ୍ ପାଇଁ ନିର୍ବାଚନ କରିବାକୁ ଘୋଷଣା କରାଯାଇଥିଲା । ରାଜ୍ୟସଭାର ୧୯ ସିଟ୍ ମଧ୍ୟରେ ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟରୁ ୪-୪, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ୩-୩. ଛାରଖଣ୍ଡରୁ ୨ ଏବଂ ମଣିପୁରରୁ ୧-୧ ସିଟ୍ ରେ ନିର୍ବାଚନ ହେବ ।
ମଣିପୁରରେ ସତାରୁଢ ଗଠବନ୍ଧନର ନଅ ସଦସ୍ୟ ଇସ୍ତଫା ଦେବା ଯୋଗୁଁ ସେଠାରେ ନିର୍ବାଚନ ରୋଚକ ହେବାରେ ସମ୍ଭାବନା ରହିଛି । ବିଜେପି ପକ୍ଷରୁ ଲିସେମ୍ବା ସାନାଜାଓବା ଏବଂ କଂଗ୍ରେସ ପକ୍ଷରୁ ଟି ମଙ୍ଗି ବାବୁ କୁ ପ୍ରାର୍ଥୀ ଭାବେ ଛିଡା କରାଯାଇଛି । ସେହିପରି କର୍ଣ୍ଣାଟକର ୪ ସିଟ୍ ରେ ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା, କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ବିଜେପି ପ୍ରାର୍ଥୀ ଇରନ୍ନା କଡାଡୀ ଏବଂ ଅଶୋକ ଗସ୍ତକୁ ପୂର୍ବରୁ ନିର୍ବିରୋଧ ବିଜେତା ଘୋଷଣା କରାଯାଇଛି ।
ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି କି, ୧୯ ଜୁନ୍ ସନ୍ଧ୍ୟାରେ ହିଁ ସମସ୍ତ ୧୯ ସିଟ୍ ପାଇଁ ମତଗଣନା ହେବ । କରୋନାକୁ ଦୃଷ୍ଟିରେ ରଖି ମତଦାନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟକ ମତଦାତାଙ୍କ ଶରୀରର ତାପମାତ୍ରା ପରୀକ୍ଷା କରାଯିବ ଏବଂ ସାମଜିକ ଦୂରତା ଅବଲମ୍ବନ କରାଯିବ ।