ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନ୍ ଏବଂ ଭାରତ ମଧ୍ୟରେ ଲାଗିଥିବା ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି । ଆଜି ସନ୍ଧ୍ୟା ୫ଟାରେ ହେବାକୁ ଥିବା ଏହି ବୈଠକରେ ଅଲଗା ଅଲଗା ଦଳର ଅଧ୍ୟକ୍ଷ ସାମିଲ ହେବେ । ଏଥିରେ ଭାରତ-ଚୀନ ମଧ୍ୟରେ ଲାଗିଥିବା ବିବାଦ ଉପେୀ ଆଲୋଚନା ହେବ । ସୂତ୍ର ମୂତାବକ, ଯେଉଁ ଦଳ ଗୁଡିକରେ ୫ ରୁ ଅଧିକ ସାଂସଦ ରହିଛନ୍ତି କେବଳ ସେମାନଙ୍କୁ ହିଁ ବୈଠକରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି ।
ବୈଠକରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ସମାଜବାଦି ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ଜେଏଏମ ଅଧ୍ୟକ୍ଷ ହେମନ୍ତ ସୋରେନ୍, ଟିଏମସି ପ୍ରମୁଖ ମମତା ବାନାର୍ଜି ଏବଂ ଟିଡିପି ଅଧ୍ୟକ୍ଷ ଚନ୍ଦବାବୁ ନାଇଡୁ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସୱାନ, ଶିରୋମଣି ଅକାଲି ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ସାମିଲ ହେବେ ।
ଏହାବ୍ୟତିତ ସିପିଆଇ-ଏମ ର ମହାସଚିବ ସୀତାରାମ ୟେଚୁର, ଏନସିପି ଅଧ୍ୟକ୍ଷ ଶରଦ ପୱର, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଏମକେ ଷ୍ଟାଲିନ୍ ବୈଠକରେ ଯୋଗ ଦେବେ । ସର୍ବଦଳୀୟ ବୈଠକ ପୂର୍ବରୁ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମସ୍ତ ବପକ୍ଷ ଦଳର ଅଧ୍ୟକ୍ଷଙ୍କ ସହ କଥା ହୋଇଛନ୍ତି । ମାତ୍ର ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆମନ୍ତ୍ରିତ କରାଯାଇ ନାହିଁ ।