ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନ ଥିଲା ସାଂସ୍କୃତିକ ପ୍ରଥା ଅନୁଯାୟୀ ଚୁଡିଦାର ପଞ୍ଜାବି ପିନ୍ଧି ସାଧାରଣ ଗାଉଁଲି ଝିଅ ଭଳି ଚୁପଚାପ ରହୁଥିଲେ । ପାଶ୍ଚାତ୍ ବେଶ ପୋଷାକ ପିନ୍ଧିବା ତ ଦୂରର କଥା । ତା’ ବିଷୟରେ ଭାବୁ ବି ନଥିଲେ । କେବଳ ନିଜର ପାଠ ପଢା ଏବଂ ଘର । ମାତ୍ର କଳା ଯାହା ପାଖରେ ଥିବ ସେ ଯେତେ ଘରେ ଲୁଚି ରହିଲେ ବି ଦିନେ ନା ଦିନେ ତାଙ୍କର ସେହି କଳା ସମାଜ ସାମ୍ନାରେ ଫୁଟିକି ବାହାରିବ । ଏହାସହିତ ଦୃଢ଼ ଇଚ୍ଛା ଶକ୍ତି ଏବଂ ଅକ୍ଲାନ୍ତ ପରିଶ୍ରମ ହିଁ ବ୍ୟକ୍ତିର ସଫଳତାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥାଏ । ଏହାର ସଦ୍ୟ ଉଦାହରଣ ହେଉଛନ୍ତି ଭଦ୍ରକ ଜିଲ୍ଲାର ଅଙ୍କିତା ମହାନ୍ତି । ତାଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି ସୀତାଞ୍ଜଳୀ ଜେନା ।
ପ୍ରଶ୍ନ୧:ଆପଣଙ୍କ ଜନ୍ମ ସ୍ଥାନ ଏବଂ ବର୍ତ୍ତମାନ କେଉଁଠି ରହୁଛନ୍ତି?
ଉତ୍ତର- ସମସ୍ତଙ୍କର ଜନ୍ମ ସ୍ଥାନ ଏବଂ କର୍ମ ସ୍ଥାନ ଅଲଗା ଥାଏ । କାରଣ ଜୀବନର ଗତିପଥ କେତେବେଳେ ବଦଳିବ ତାହା କହି ହେବ ନାହିଁ । ମୋର ଜନ୍ମ ଭଦ୍ରକରେ କିନ୍ତୁ ମୁଁ ରହୁଛି ଭୁବନେଶ୍ୱରରେ ।
ପ୍ରଶ୍ନ୨:ଆପଣଙ୍କ ବାପା ଏବଂ ମା’ କ’ଣ କରନ୍ତି?
ଉତ୍ତର-ବାପା ଏକ ମହାବିଦ୍ୟାଳୟରେ ଅଧ୍ୟାପକ ଏବଂ ମା’ ସର୍ବଶିକ୍ଷା ଅଭିଯାନରେ ଛୋଟ ପିଲାମାନଙ୍କ ପାଠ ପଢାଉଛନ୍ତି ।
ପ୍ରଶ୍ନ୩:ଏବେ ଆପଣ କ’ଣ କରୁଛନ୍ତି?
ଉତ୍ତର-ସମସ୍ତଙ୍କର ଯେପରି ଗୋଟେ ଗୋଟେ ସ୍ୱପ୍ନ ଥାଏ । ଠିକ୍ ସେହିଭଳି ମୋର ବି ଏକ ସ୍ୱପ୍ନ ଥିଲା । ସବୁବେଳେ ଟିଭିରେ ଅନ୍ୟମାନଙ୍କୁ ଆଙ୍କରିଂ କରୁଥିବାର ଦେଖେ ଏବଂ ମନେ ମନେ ଭାବେ କାସ୍ ମୁଁ ବି ଏଭଳି କରି ପାରନ୍ତି କି । ଧୀରେ ଧୀରେ ଆଙ୍କରିଂ କରିବା ଆରମ୍ଭ କଲି ଏବଂ ସଫଳତା ମଧ୍ୟ ପାଇଲି । ଏବଂ ଏ କ୍ଷେତ୍ରରେ ଲୋକମାନଙ୍କ ଠାରୁ ଅନେକ ଭଲ ପାଇବା ମଧ୍ୟ ପାଇଛି । ମୁଁ ଏବେ ଜଣେ ପେଶାଦାର ଆଙ୍କର । ମାତ୍ର ମୋର କ୍ୟାରିୟର ଆରମ୍ଭ କରିଥିଲି ମଡେଲିଂରୁ ।
ପ୍ରଶ୍ନ୪: ମଡେଲିଂ ଲାଇନରେ ଆପଣ କେବେଠୁ ପାଦ ରଖିଥିଲେ?
ଉତ୍ତର-ମଡେଲିଂ କରିବା ପାଇଁ ମୋର ପିଲା ଦିନରୁ ଇଚ୍ଛା ଥିଲା । କିନ୍ତୁ ସେଭଳି କୌଣସି ସୁଯୋଗ ମିଳିନଥିଲା । ଧୀରେ ଧୀରେ ବଡ ହେଲି ପାଠ ପଢିବା ଶେଷ ହେଲା, ଏବଂ ଚାକିରି ଖୋଜିବା ପାଇଁ ଭୁବନେଶ୍ୱର ଆସିଲି । ସେଠାରେ ଜାଣିବାକୁ ପାଇଲି ଯେ ମିସ୍ କଳିଙ୍ଗ ବୋଲି ଏକ ପ୍ରୋଗ୍ରାମର ଆୟୋଜନ କରାଯାଉଛି । ସେଠି ମୁଁ ଭାବିଲି ଯେ ଏହା ମୋ ପାଇଁ ଏକ ସୁଯୋଗ । ତା’ପରେ ଯାଇ ମୁଁ ମଡେଲିଂ କରିବା ପାଇଁ ସେଥିରେ ଭାଗ ନେଲି । ଏବଂ ତାହା ଥିଲା ମୋର ମଡେଲିଂର ଫାଷ୍ଟ ପ୍ଲାଟଫର୍ମ ।
ପ୍ରଶ୍ନ୫: ଏଥିପାଇଁ ଆପଣଙ୍କୁ କିଏ ପ୍ରୋତ୍ସାହନ କରିଥିଲେ?
ଉତ୍ତର- ସବୁ ମା’ ବାପାଙ୍କ ଭଳି ମୋ ବାପା ଓ ମା’ ମଧ୍ୟ ମୋ ଉପରେ ବହୁତ ରାଗୁଥିଲେ । କାରଣ ଗୋଟେ ଝିଅ ଯିଏ କି ଇଂଜିନିୟରିଂ ପାଠ ପଢ଼ିବା ପରେ, ଚାକିରୀ କରିବା ବଦଳରେ ମଡେଲିଂ କରିବ ତାହା ତାଙ୍କୁ ପସନ୍ଦ ଆସୁନଥିଲା । କିନ୍ତୁ ଧିରେ ଧିରେ ମୋତେ ଦୁଇଜଣଙ୍କର ସହଯୋଗ ମିଳିଲା । ଏବଂ ତାଙ୍କର ଆର୍ଶିବାଦ ଦ୍ୱାରା ମୁଁ ଆଗେଇ ଚାଲିଛି ।
ପ୍ରଶ୍ନ୬: ମଡେଲିଂର ଏହି ରେସରେ ଆଗକୁ କ’ଣ ଲକ୍ଷ ରଖିଛନ୍ତି?
ଉତ୍ତର-ମୋତେ ଆଗକୁ ଭଲ ସୁଯୋଗ ମିଳିଲେ ମୁଁ ନିଶ୍ଚୟ କରିବି । କିନ୍ତୁ ମୋର ବଡ ଲକ୍ଷ ରହିଛି ଫେମିନା ମିସ୍ ଇଣ୍ଡିଆ । ସେଥିପାଇଁ ମୁଁ ମୋ ନିଜକୁ ଭଲକି ପ୍ରସ୍ତୁତ କରି ଆଗାମୀ ବର୍ଷ ଫେମିନା ମିସ୍ ଇଣ୍ଡିଆରେ ଯିବା ପାଇଁ ଚେଷ୍ଟା କରିବି ।
ପ୍ରଶ୍ନ୭:ଆପଣ ବର୍ତ୍ତମାନ କେଉଁ ପ୍ରଡକ୍ସନ ହାଉସରେ ଆଙ୍କରିଂ କରୁଛନ୍ତି?
ଉତ୍ତର- ମୁଁ ବର୍ତ୍ତମାନ ତରଙ୍ଗ ପ୍ରଡକ୍ସନ ହାଉସର ଏକ ସୋ’ରେ ଆଙ୍କରିଂ କରୁଛି । ଏହା ପୂର୍ବରୁ ମୁଁ ଅନେକ ଶୋ’ରେ ଆଙ୍କରିଂ କରିସାରିଛି । ଏହାସହିତ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ମଧ୍ୟ ବହୁତ ଷ୍ଟେଜ୍ ସୋ’ କରିଛି ।
ପ୍ରଶ୍ନ୮: ଆଙ୍କରିଂ କ୍ଷେତ୍ରରେ ଆପଣଙ୍କୁ ଲୋକମାନଙ୍କ ଭଲ ପାଇବା କେତେ ମିଳିଛି?
ଉତ୍ତର- ଭଲ ପାଇବା କଥା କହିଲେ ତ ଜମାରୁ ମାପି ହେବନି । କାରଣ ମୁଁ ଯେତିକି ଆଶା କରି ନଥିଲି ତାଠାରୁ ଅଧିକ ଭଲ ପାଇବା ପାଇଛି । ତାହା ସହିତ ଏବେ ବଡ ପରଦାରେ ମୋତେ ଲୋକ ଦେଖିବାକୁ ପାଇବେ । ସେଥିପାଇଁ ଭାବୁଛି ଭଲ ପାଇବା ଆହୁରି ଦ୍ୱୀଗୁଣା ହୋଇଯିବ ।
ପ୍ରଶ୍ନ୯:ଏହି ଫିଲ୍ମରେ କେତେ ରହସ୍ୟ ରହିଛି?
ଉତ୍ତର- ଫିଲ୍ମଟିର ଟାଇଟଲ ଟି ଯେମିତି ହେଇଛି ତାର କାହାଣୀ ମଧ୍ୟ ଖୁବ୍ ରହସ୍ୟ ମୟ ହୋଇଛି । ୬ଜଣ ବନ୍ଧୁ ଏକାଠି ମିଶି ଏକ ବଙ୍ଗଳାକୁ ଯାଉଥିବା ସମୟରେ ସେମାନଙ୍କ ସହିତ ଏଭଳି କିଛି ଘଟଣା ଘଟୁଛି । ଯାହା ଆପଣ ଫିଲ୍ମଟି ଦେଖିଲା ପରେ ସଂପୂର୍ଣ୍ଣ ଜାଣି ପାରିବେ ।
ପ୍ରଶ୍ନ୧୦: ତିନି ବର୍ଷ ପୂର୍ବର ଅଙ୍କିତା ମହାନ୍ତି ଏବଂ ବର୍ତ୍ତମାନର ଅଙ୍କିତା ମହାନ୍ତି ମଧ୍ୟରେ ଫରକ କ’ଣ ରହିଛି? ଏବଂ ନିଜକୁ ତିନି ବର୍ଷ ପରେ କେଉଁଠି ଦେଖିବାକୁ ଚାହୁଁଛନ୍ତି?
ଉତ୍ତର-ଫରକ ତ ନିଶ୍ଚିତ ରହିଛି । କାରଣ ତିନିବର୍ଷ ପୂର୍ବରୁ ଗୋଟେ ସାଧାରଣ ସାଲୱାର ପିନ୍ଧା ଝିଅ ଏବେ ଓଡିଶାର ଜଣେ ଭଲ ଆଙ୍କର । ଯାହାକୁ ଲୋକମାନଙ୍କର ଏତେ ଭଲ ପାଇବା ମିଳିଛି । ଆଗାମୀ ଦିନରେ ଜଣେ ଭଲ ସଫଳ ଅଭିନେତ୍ରୀ ଭାବେ ନିଜକୁ ଦେଖିବାକୁ ଚାହେଁ ।