ଭୁବନେଶ୍ୱର: ଯାହାଙ୍କ ନାଁ ଶୁଣିଲେ ହୋସ ଉଡିଯାଉଥିଲା । ସେ ଚୋର ହେଉ କି’ ଡକାୟତ ଅବା ଲୁଟେରା, ସମସ୍ତଙ୍କ ବିପି ହାଇ ହୋଇଯାଉଥିଲା । ରୋଡ ରୋମିଓଙ୍କ କଥା ତ’ ନକହିଲେ ଭଲ । ଭୟରେ କମ୍ପୁଥିଲେ । ସିଧା କହିବାକୁ ଗଲେ ସବୁ ଅପରାଧୀଙ୍କୁ ଏକାବେଳେ ସାବାଡ କରି ରଖିଥିଲେ ସେ । ଏବେ ପୁଣି ଥରେ ସମାନ ଘଟଣା ଘଟିବାକୁ ଯାଉଛି କମିଶନରେଟ ଇଲାକାରେ । ପୁଣି ଫେରିଛନ୍ତି ସିଙ୍ଗମ ଅଫିସର ।
ଆମେ କହୁଛୁ ପୂର୍ବରୁ ଡିସିପି ଥିବା ହିମାଂଶୁ ଲାଲଙ୍କ ସମ୍ପର୍କରେ । ୨୦୦୩ ବ୍ୟାଚର ଆଇପିଏସ ଅଫିସର ହିମାଂଶୁ ଲାଲ ଏବେ ଅତିରିକ୍ତ ପୁଲିସ କମିଶନର ଭାବେ ଯୋଗଦାନ କରିଛନ୍ତି । ସେପଟେ ହିମାଂଶୁ ଲାଲଙ୍କ ଫେରିବା ନେଇ କେବଳ ପୁଲିସ ଅଫିସର ନୁହଁନ୍ତି ବରଂ ସହରବାସୀ ମଧ୍ୟ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଜଣେ ଦକ୍ଷ, ସଚ୍ଚୋଟ ଅଫିସର ଓ କାମ କରିବାର ଟିକେ ନିଆରା ଅନ୍ଦାଜ ପାଇଁ ସେ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି । ଏବେ ପୁଣି ଥରେ ସେ ଆସିବା ପରେ ସହରବାସୀ ଖୁସି ପ୍ରକଟ କରିଥିବା ଏଟିଆର ସର୍ଭେରୁ ଜଣାପଡିଛି ।
ଟ୍ରାକକୁ ଫେରିବ ପୁରୁଣା ଟିମ
ହିମାଂଶୁ ଲାଲଙ୍କ କାମ କରିବାର ତରିକା ଥିଲା ଟିକେ ଅଲଗା । ଏକଦମ ଫିଲ୍ମ ଷ୍ଟାଇଲ । ପୂର୍ବରୁ ଡିସିପି ଥିବା ବେଳେ ସେ ବଛା ବଛା ଅଫିସରଙ୍କୁ ନେଇ ଗଢ଼ିଥିଲେ ଏକ ସ୍ୱତନ୍ତ୍ର ଟିମ । ଯାହା ପାଇଁ ଅପରାଧୀମାନେ ନାକରେ ପାଣି ପିଇଥିବା ବେଳେ ଶାନ୍ତିରେ ନିଶ୍ୱାସ ମାରିଥିଲେ ସହରବାସୀ । ଗାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ କେସ ତ’ ତାଙ୍କୁ ଆଣି ଦେଇଥିଲା ଅନେକ ସଫଳତା । ଗୋଆରୁ ଗିରଫ କରଯାଇଥିଲା ରାଜାକୁ । ଏଇ ପ୍ରାୟ ସପ୍ତାହ ହେବ ରାଜା ମୁକୁଳିଥିବା ବେଳେ ଅଚାନକ ହିମାଂଶୁ ଲାଲଙ୍କ ଫେରିବା ନେଇ ଅନେକ ଚର୍ଚ୍ଚା ହେଉଛି । ରାଜାକୁ ପୁଣି ଚେକ ଦେବା ଲାଗି ହିମାଂଶୁ ଲାଲ ଫେରିଥିବା ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି ।
ଜେଲ ୱାର୍ଡର ମର୍ଡର ଘଟଣାରେ ପର୍ଦ୍ଦାଫାସ କରିବା ତ’ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ହିମାଂଶୁ ଲାଲଙ୍କ ପାଇଁ । ମାଷ୍ଟର ମାଇଣ୍ଡ ବିକ୍ରମ ମଲ୍ଲିକ ଜେଲରେ ଥାଇ ଏହି କାଣ୍ଡ ଭିଆଇଥିବା ବେଳେ ତା’ର ସମସ୍ତ ସହଯୋଗୀକୁ ଦିଲ୍ଲୀରୁ ଗିରଫ କରାଯାଇଥିଲା । ଏହାବାଦ ସଙ୍ଗିତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ମାମଲା, ଇଞ୍ଜିନୟର ଛାତ୍ର ପ୍ରିତମ ହତ୍ୟା ମାମଲା, ଆଇଗିଣିଆ ଡବଲ ମର୍ଡର, ପଣ୍ଡା ନର୍ସିଂ ହୋମ ମର୍ଡର, ମୟୁର ଗାର୍ଡେନ ମାଲିକ ମୃତ୍ୟୁ ମାମଲାର ମହାଖୁଲାସା କରିଥିଲେ ସେ ।
ତାଙ୍କର ଏଭଳି କାର୍ଯ୍ୟ ଓ ପୂରା ଟିମ ଏଥିପାଇଁ ସବୁବେଳେ ତୟାର ରହୁଥିଲେ । ତେବେ ହିମାଂଶୁ ଲାଲ ଡେପୁଟେସନରେ ଯିବା ପରେ ଏବେ ଛାରଖାର ହୋଇଯାଇଛି ସେହି ଟିମ । ଏବେ ସେ ଫେରିବା ପରେ ପୁଣି ଥରେ ତାଙ୍କ ସେହି ଟିମ ଟ୍ରାକକୁ ଆସିବ ବୋଲି ଶୁଣିବାକୁ ମିଳୁଛି । ରିପୋର୍ଟ: ପ୍ରଶାନ୍ତ କୁମାର ମିଶ୍ର
Subhasish Pattnaik
Congratulations