ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ-ଚୀନ ସୀମା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ଚୀନର ଚାଲିକିକୁ ବିଶ୍ୱାସ କରୁନାହିଁ ଭାରତ । ଏବେ ବି ଚୀନ୍ କୁ ଆର୍ଥିକ କ୍ଷତି ପହଁଚାଇବାର ପ୍ରୟାସ ଜାରି ରଖିଛି ଭାରତ । ଶୁକ୍ରବାର ଭାରତୀୟ ରେଲୱେ ପକ୍ଷରୁ ଚୀନ କମ୍ପାନୀ ସହିତ ୪୭୧ କୋଟି ଟଙ୍କାର ଡିଲ୍ କୁ ରଦ୍ଦ କରିଦିଆ ଯାଇଛି । ଖରାପ ତଥା ଧୀର ପ୍ରଗତି ଯୋଗୁଁ ଚୀନ୍ ଫର୍ମର ସିଗନାଲିଙ୍ଗ ଏବଂ ଦୂରସଂଚାର ସହ ସମ୍ବନ୍ଧିତ ୪୭୧ କୋଟି ଟଙ୍କାର ଡିଲ୍ କୁ ବାତିଲ କରାଯାଇଛି ।
ଚୀନ କମ୍ପାନୀ ବିଜିଙ୍ଗ ନେସନାଲ ରେଲୱ ରିସର୍ଚ୍ଚ ଆଣ୍ଡ ଡିଜାଇନ୍ ଇଂଷ୍ଟିଚ୍ୟୁଟ ଅଫ୍ ସିଗ୍ନଲ ଆଣ୍ଡ କମ୍ୟୁନିକେସନ ଗ୍ରୁପ କମ୍ପାନୀ ଲିମିଟେଡକୁ ୨୦୧୬ ମସିହାରେ କାନପୁର ଏବଂ ମୁଗଲସରାୟ ମଧ୍ୟରେ ୪୧୭ କିଲୋମିଟର ଲମ୍ବା ରେଳ ସେକ୍ସନ ଉପରେ ସିଗ୍ନାଲ ଏବଂ ଦୂରସଂଚାରର ଠିକା ଦିଆଯାଇଥିଲା । କିନ୍ତୁ କାମରେ ଧୀର ପ୍ରଗତି ଯୋଗୁଁ ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡୋର ଗତ ମାସରେ କମ୍ପାନୀର ଡିଲ ରଦ୍ଦ କରିବାର ନିଷ୍ପତି ନେଇଥିଲା ।
ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡୋର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡର ପ୍ରବନ୍ଧନ ନିର୍ଦ୍ଦେଶକ ଅନୁରାଗ ସଚାନ ଚୀନ୍ କମ୍ପାନୀକୁ ୧୪ ଦିନର ନୋଟିସ ଜାରି କରିଥିଲେ । ଏହାପରେ ଟର୍ମିନେସନାଲ ଲେଟର ଜାରି କରାଯାଇଥିଲା । ପ୍ରକୃତରେ କମ୍ପାନୀକୁ ୨୦୧୯ ସୁଧା କାମ ଶେଷ କରିବାର ଥିଲା କିନ୍ତୁ ଏପର୍ଯ୍ୟନ୍ତ କେବଳ ୨୦ ପ୍ରତିଶତ କାମ ହୋଇପାରିଛି ।