ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବିଶ୍ୱରେ ଏବେ କରୋନା ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ତାହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହି ମହାମାରୀକୁ ରୋକିବା ପାଇଁ ଏବେ ସବୁ ଦେଶ କରୋନା ଭ୍ୟାକସିନ ନିର୍ମାଣରେ ଲାଗି ପଡିଛନ୍ତି ।
କେତେକ ଦେଶ ଏହି ଭ୍ୟାକସିନର ମାନବ ପରୀକ୍ଷଣ ମଧ୍ୟ ଆରମ୍ବ କରି ସାରିଛନ୍ତି । ଭାରତ ମଧ୍ୟ କରୋନା ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ କରିଛି । ଯାହା ଆଶା କରାଯାଉଛି ଆସନ୍ତା ଅକ୍ଟୋବର ସୁଦ୍ଧା କରୋନା ଭ୍ୟାକସିନ ଆସିପାରେ । ମାତ୍ର ଏଥିରେ ଏବେ ସନ୍ଦେହ ସୃଷ୍ଟି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ।
ହୁ କହିଛି ଆସନ୍ତା ୨୦୨୧ ପ୍ରାରମ୍ଭ ପୂର୍ବରୁ କୌଣସି ପ୍ରକାରେ ଏହାର ବ୍ୟବହାର ହୋଇ ପାରିବ ନାହିଁ । ତେବେ ହୁ ମଧ୍ୟ କହିଛି ସମସ୍ତ ଦେଶକୁ ଟିକା ବଣ୍ଟନ ନିଶ୍ଚିନ୍ତ କରିବାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟ କରୁଛି ।
ସୂଚନଯୋଗ୍ୟ ଗତକାଲି ଗୋଟିଏ ଦିନରେ ଦେଶରେ ୪୫ ହଜାର ୭୨୦ ନୂଆ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ୧୧୨୯ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ୧୨ ଲକ୍ଷ ୩୮ ହଜାର ୬୩୫ ମାମଲା ରହିଛି । ସେଥିରୁ ୪ ଲକ୍ଷ ୨୬ ହଜାର ୧୬୭ ଆକ୍ଟିଭ ମାମଲା ରହିଥିବାବେଳେ ୭ ଲକ୍ଷ ୮୨ ହଜାର ୬୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ହଜାର ୮୬୧ ଜଣଙ୍କ ମୃତ୍ୟୁ ହୋଇଛି ।