ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା । ଏହାସହିତ ଆଜି ବଡଠାକୁର ବଳଭଦ୍ରଙ୍କ ଜନ୍ମଦିନ । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଳଭଦ୍ରଙ୍କ ଜନ୍ମନୀତି । ଏହାପରେ ମହାପ୍ରଭୁ ଜଗନ୍ନାଥ ଏବଂ ବଡଭାଇ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା । ପାଟରା ବିଶୋଇ ସେବାୟତ ଙ୍କ ଦ୍ୱାରା ତିଆରି ହୋଇଥିବା ସର୍ବବୃହତ ରାକ୍ଷୀ ମହାପ୍ରଭୁଙ୍କ ହାତରେ ବନ୍ଧାହେବ ।
ବାସୁଙ୍ଗା ପାଟରେ ତିଆରୀ ହୋଇଛି ୪ଟି ରଙ୍ଗର ରାକ୍ଷୀ ଏବଂ ଗୁଆ ମାଳ ମହାପ୍ରଭୁଙ୍କ ଠାରେ ଲାଗି ହେବ । ଅନ୍ୟପଟେ ଶ୍ରୀଦେବୀ, ଭୂଦେବୀ, ମଦନମୋହନ ଆଜ୍ଞାମାଳ ପାଇବା ପରେ ଝୁଲଣ ମଣ୍ଡପକୁ ବିଜେ କରିବା ପରେ ସୁଦର୍ଶନ ବିଜେ ପାଳିଆ ଖୁଣ୍ଟିଆମାନେ ଦଈତାପତିଙ୍କୁ ଡାକିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଏହି ନୀତି କରୋନା କଟକଣା ଭିତରେ କରାଯିବ । କରୋନା ପାଇଁ ମହାପ୍ରଭୁଙ୍କର ଏହି ନୀତି ଦେଖିବାକୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ ।
ଅନ୍ୟପଟେ ଏହି ପବିତ୍ର ଉତ୍ସବରେ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧି ସମ୍ପର୍କକୁ ଦୃଢ କରିଥାଏ । ଭଉଣୀ କହିଥାଏ କି ରାକ୍ଷା ବାନ୍ଧିଲି ମୋ ରଖିବ ମାନ । ଏହାପରେ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ କରିଥାଏ ।