ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଓଡିଶାର ଅନୁଗୁଳ ଜିଲ୍ଳାଠାରୁ ୧୭ କିଲୋମିଟର ଦୁରରେ ଗଡ଼ ସନ୍ତ୍ରୀ ଗ୍ରାମରେ ଲୋଭି ଠାକୁରାଣୀ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ଲୋଭି ଠାକୁରାଣୀ ନାମରେ ବେଶ୍ ପ୍ରସିଦ୍ଧ । ଏହି ଦେବୀ , ଛୋଟ ପିଲାମାନଙ୍କର ଲମ୍ବା ଆୟୁଷ ଏବଂ ସମୃଦ୍ଧି ପାଇଁ ସେମାନଙ୍କୁ ଆର୍ଶିବାଦ ଦେଇଥାନ୍ତି । ଏହି ଦେବୀଙ୍କ ନାମ ‘ଲୋଭି’ର ଅର୍ଥ ହେଉଛି ଅଧିକ ଆଶା କରିବା । ଲୋକଙ୍କ କହିବାନୁଯାୟୀ,ଦେବୀଙ୍କ ଏହି ଲୋଭ ସକରାତ୍ମକ, ଏବଂ ଭକ୍ତି, ପ୍ରସାଦ, ଅହଂକାର ବଳିଦାନର ଲୋଭ ସହ ଜଡିତ ।
କିମ୍ବଦନ୍ତୀ ଅନୁଯାୟୀ, ଏହି ମନ୍ଦିରର ଉତ୍ପତି ରାଜା ରାବଣ କରିଥିଲେ । ସେଠାରେ ଲଙ୍କଦେବୀ ନାମକ ଦେବୀ ପୂଜା ପାଇଥିଲେ । ଅତ୍ୟନ୍ତ ଭକ୍ତିର ସହ ରାବଣ ଦେବୀଙ୍କ ପୂଜାର୍ଚ୍ଚନା କରୁଥିଲେ । ସେ ନିହତ ହେବା ପରେ ଲଙ୍କଦେବୀ ଶ୍ରଦ୍ଧାରେ ରାମଚନ୍ଦ୍ରଙ୍କ ପୁଷ୍କକ ବିମାନରେ ବସି ଅଯୋଧ୍ୟାକୁ ଗମନ କରିଥିଲେ । ସେହି ସମୟରେ ଗଡ ସନ୍ତ୍ରୀ ଗ୍ରାମ ଉପର ଦେଇ ପୁଷ୍ପକ ବିମାନ ଟି ଉଡି ଯାଉଥିବା ବେଳେ ସେହି ସ୍ଥାନର ରମଣୀୟତା ଦେଖି, ସେଠାରେ ଅବସ୍ଥାନ କରିବାକୁ ରାମଚନ୍ଦ୍ର ଲଙ୍କଦେବୀଙ୍କୁ କହିଲେ । ରାମଚନ୍ଦ୍ରଙ୍କ କଥା ରଖି ଲଙ୍କଦେବୀ ସେଠାରେ ଅବସ୍ଥାନ କଲେ । ଲୋଭାତୁର ହୋଇ ଦେବୀ ପ୍ରଭୁଙ୍କ ସହ ଆସିଥିବାରୁ ରାମଚନ୍ଦ୍ର ସେହି ଦେବୀଙ୍କ ନାଁ ଲୋଭି ଠାକୁରାଣୀ ରଖିଥିଲେ । ଠାକୁରାଣୀ ସ୍ଥାନୀୟ ଅଞ୍ଚଳରୁ ଅନେକ ସମୟରେ ଗାଈଗୋରୁ ଅପହରଣ କରି ନେଉଥିଲେ ବୋଲି ସେ ଏକ ତାନ୍ତ୍ରିକଙ୍କୁ ସ୍ୱପ୍ନାଦେଶ ହୋଇ ତାଙ୍କ ଅବସ୍ଥିତି ବିଷୟରେ ଜଣାଇଥିଲେ । ଏହାପରେ ସେଠାରେ ଦେବୀଙ୍କର ଏକ ମନ୍ଦିର ନିର୍ମାଣ ହୋଇଥିଲା । ଏବଂ ସେହି ଦିନ ଠାରୁ ସେଠାରେ ଠାକୁରାଣୀଙ୍କର ପୂଜାର୍ଚ୍ଚନା ହୋଇଆସୁଛି ।
ଏହି ମନ୍ଦିରର ମୁଖ୍ୟ ପର୍ବ ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ଏହି ପର୍ବ ଗଡ଼ ସନ୍ତ୍ରୀ ଏବଂ ତୁଳସୀପାଲ ନାମକ ଦୁଇଟି ଗାଁରେ ଅୟୋଜିତ ହୋଇଥାଏ । ସାରା ରାଜ୍ୟରୁ ଆସିଥିବା ହଜାର ହଜାର ଭକ୍ତଙ୍କୁଏହି ପର୍ବରେ ଦେଖିବାକୁ ମିଳେ । ଏହି ପର୍ବ ଦିନ ପୂଜାରୀ ନିଜ କାନ୍ଧରେ ଦେବୀଙ୍କ ପ୍ରତିମାକୁ କାନ୍ଧେଇ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଗାଁ ଦାଣ୍ଡରେ ଚାଲିଥାନ୍ତି । ସେହି ସମୟରେ ଢୋଲ ମୃଦଙ୍ଗ ସହ ପାଇକ ନୃତ୍ୟ ଦେଖିବାକୁ ମିଳିଥାଏ । ଏହି ପୂର୍ଣ୍ଣିମାରେ ଛୋଟ ପିଲାମାନଙ୍କୁ ସେଠାରେ ଲଣ୍ଡା କରାଯାଇଥାଏ । ବିଶ୍ୱାସ ରହିଛି ଯେ ଏହି ଅବସରରେ ମା’ ପିଲାମାନଙ୍କୁ ଆର୍ଶିବାଦ ଦେଇଥାନ୍ତି । ସେହି ସମୟରେ ଯାହା ମାନସିକ କରାଯାଇଥାଏ, ତାହା ପୂରଣ ହୋଇଥାଏ । ସ୍ଥାନୀୟ ଲୋକମାନଙ୍କର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ‘ଲୋଭି ଠାକୁରାଣୀ’ ।
ମନ୍ଦିରଟି ଦେଖିବାକୁ ଛୋଟ କିନ୍ତୁ ଏହାର କାରୁକାର୍ଯ୍ୟ ବହୁତ ସୁନ୍ଦର । ମନ୍ଦିରର ଚର୍ତୁପାଶ୍ୱର୍ରେ ବିଭିନ୍ନ ଦେବା-ଦେବୀଙ୍କର ଚିତ୍ର ଅଙ୍କା ଯାଇଛି ।